ଆମପାଣି ଘାଟିରେ ଟ୍ରକ୍-ପିକଅପ୍ ମୁହାଁମୁହିଁ ଧକ୍କା, ଉଭୟ ଗାଡ଼ି ଜଳିଗଲା

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଏକ ବଡ଼ ଖବର ସାମ୍ନାକୁ ଆସୁଛି। କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଘଟିଯାଇଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଟ୍ରକ୍ ଏବଂ ପିକଅପ୍ ଭ୍ୟାନ୍ ମଧ୍ୟରେ ସାମ୍ନାସାମ୍ନି ଜୋରଦାର ଧକ୍କା ହେବା ଫଳରେ, ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗି ପୋଡ଼ି ଯାଇଛି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଆମପାଣି ଘାଟିର ବିରିମୁହାଣ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଏବଂ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ଏତେ ଭୟଙ୍କର ଥିଲା ଯେ, ଦେଖୁଦେଖୁ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଅଳ୍ପ ସମୟ ମଧ୍ୟରେ ଦୁଇଟି ଯାକ ଗାଡ଼ି ସମ୍ପୂର୍ଣ୍ଣ ରୂପେ ଜଳିଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କୋକସରା ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଥିଲା। ତେବେ ସବୁଠାରୁ ଆଶ୍ୱାସନାର କଥା ହେଉଛି, ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ଦୁର୍ଘଟଣାର ପ୍ରକୃତ କାରଣ କଣ, ସେ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *