ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ ଜିଲ୍ଲାର ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ‘ଡୋଙ୍ଗରିଆ କନ୍ଧ’ ଲୋକଙ୍କୁ ଗଣତନ୍ତ୍ରର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ୧୩୯-ବିଷମକଟକ (ଏସ୍ଟି) ବିଧାନସଭା ନିର୍ବାଚନମଣ୍ଡଳୀର ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ଇଆରଓ) ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବୀନ ଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଷମକଟକ ବ୍ଲକର ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡୋଙ୍ଗରିଆ କନ୍ଧ ପିଭିଟିଜି ସମ୍ପ୍ରଦାୟଙ୍କ ନିକଟରେ ପହଞ୍ଚି ଏନ୍ୟୁମେରେସନ ଫର୍ମ ବଣ୍ଟନ କରାଯାଇଛି। ସମାଜର ପ୍ରତ୍ୟେକ ବର୍ଗର ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସାମିଲ କରିବା ଉଦ୍ଦେଶ୍ୟରେ ଆଜି ୧୩୯-ବିଷମକଟକ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏଇଆରଓ-କମ୍-ବିଡିଓ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ଜିପିଡିଓ ସୁଦୀପ କୃଷ୍ଣ ବେହେରା, ବିଏଲଓ ସୁପରଭାଇଜର ହରିଦାସ ବାଥ୍ରା, ପାର୍ଟ ନଂ–୯୩ ଓ ୯୪ର ବୁଥ ସ୍ତରୀୟ ଅଧିକାରୀ ଉମେଶ ପେଦେଣ୍ଟି ଏବଂ ଭୀମ କୌଶଲ୍ୟା ନିୟମଗିରିର ଦୁର୍ଗମ ଡୋଙ୍ଗରିଆ କନ୍ଧ ବସତିଗୁଡ଼ିକ ପରିଦର୍ଶନ କରିଥିଲେ। ଏହି ଅବସରରେ ଯୋଗ୍ୟ ମତଦାତାଙ୍କୁ ଏନ୍ୟୁମେରେସନ ଫର୍ମ ବଣ୍ଟନ କରାଯିବା ସହିତ ସ୍ୱତନ୍ତ୍ର ନିବିଡ଼ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଯାଇଥିଲା। ଦୁର୍ଗମ ଭୌଗୋଳିକ ପରିସ୍ଥିତି ସତ୍ତ୍ୱେ କୌଣସି ଯୋଗ୍ୟ ମତଦାତା ଯେପରି ଏହି ପ୍ରକ୍ରିୟାରୁ ବାଦ୍ ପଡ଼ିବେ ନାହିଁ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରହିଛି। ରାୟଗଡ଼ ଜିଲ୍ଲା ପ୍ରଶାସନର ଏହି ସ୍ୱିପ୍ ପଦକ୍ଷେପ ମାଧ୍ୟମରେ ଆଦିବାସୀ ଓ ପିଭିଟିଜି ସମ୍ପ୍ରଦାୟ ସମେତ ସମାଜର ସମସ୍ତ ବର୍ଗଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରିବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ କରାଯାଇଛି।

