ଆଠମଲ୍ଲିକରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ: ୩୬ ୟୁନିଟ୍ ରକ୍ତ ସଂଗୃହିତ

ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆଦି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନ (ଏଡ଼ିୟୁଜେ), ଆଠମଲ୍ଲିକ ପୋଲିସ ଓ ବନ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ମହତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିସହିତ ସେ’ ରକ୍ତଦାତାମାନଙ୍କୁ ଫୁଲତୋଡ଼ା ଦେଇ ସେମାନଙ୍କର ଏହି ମାନବୀୟ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରିମିନାଲ କୋର୍ଟ ବାର ଆସୋସିଏସନର ସଭାପତି ଅଞ୍ଜନ କୁମାର ପ୍ରଧାନ, ସମ୍ପାଦକ ସବ୍ୟସାଚୀ ସିଂ ସାମନ୍ତ, ଏସଡ଼ିପିଓ ସୁଶାନ୍ତ କୁମାର ତାଉଡ଼ିଆ, ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଏବଂ ରେଞ୍ଜର ସୁନୀଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କ ମନୋବଳ ବଢ଼ାଇଥିଲେ। ଏହି ସ୍ବେଚ୍ଛାକୃତ ଶିବିରରୁ ମୋଟ ୩୬ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି। ଡାକ୍ତର କୁମାର ସୌରଭ ସବ୍ୟସାଚୀ ବେଉରା ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ନର୍ସିଂ ଅଫିସର ସ୍ନିଗ୍ଧାରାଣୀ ସିଂ, ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ରବୀନ୍ଦ୍ର ମହାନ୍ତି, ମୁକେଶ ଦେହୁରୀ, ରାକେଶ ଦତ୍ତ, ଛାତ୍ର ଅଂଶୁମାନ ପଣ୍ଡା ଏବଂ ଶିଶୁ ସ୍ବେଚ୍ଛାସେବୀ ଅନ୍ୱେଷ କୁମାର ହୋତା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସର୍ବଦା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସହଯୋଗର ହାତ ବଢ଼ାଉଥିବା ଠାକୁରଗଡ଼ ଅଞ୍ଚଳର ଯୁବ ସ୍ବେଚ୍ଛାସେବୀ ଅଶ୍ୱିନୀ କୁମାର ସ୍ୱାଇଁଙ୍କୁ ସାମ୍ବାଦିକ ସଙ୍ଘ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ଶିବିରକୁ ଏଡ଼ିୟୁଜେ ଅନୁଗୁଳ ଜିଲ୍ଲା ସଭାପତି ଅଜିତ କୁମାର ଧର, ସମ୍ପାଦକ ସ୍ୱାଧୀନ ସାମଲ ଏବଂ ଆଠମଲ୍ଲିକ ଶାଖାର ଉପସଭାପତି କମଳାକାନ୍ତ ମିଶ୍ର, ବରିଷ୍ଠ ସାମ୍ବାଦିକ ଉଦିପ୍ତ ପୁରୋହିତ, ବିନୟ କୁମାର ପଟ୍ଟନାୟକ, ଶତ୍ରୁଘ୍ନ ସାହୁ, ସୁବାଷ ଶତପଥି, ସୁବୋଧ ମିଶ୍ର, ବୁଲୁ ଦଳେଇ, ଧନଞ୍ଜୟ ନାୟକଙ୍କ ସମେତ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *