ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର : ସଇଁତଲା ଥାନା ଅନ୍ତର୍ଗତ ବିବିନା ଗ୍ରାମ ନିକଟରେ ଥିବା ଶିବ ଏଗ୍ରୋ ରାଇସ ମିଲରେ ଆଜି ଅପରାହ୍ଣରେ ଅଘଟଣ ଘଟି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକ ଜଣକ ହେଉଛନ୍ତି କୁଲିଆବାହାଲ ଗ୍ରାମର କୁଶ ବାଗ। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ଗୋଟାଏ ବେଳେ କୁଶ ବାଗ ଧାନ ସିଝାଉଥିବା ସମୟରେ ହାଣ୍ଡି ଭାଙ୍ଗିଯିବାରୁ ସେ ତା’ ଭିତରେ ପଡ଼ିଯାଇଥିଲେ। ଅନ୍ୟ ଶ୍ରମିକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ମିଲ ମାଲିକଙ୍କୁ ଖବର ଦେଇଥିଲେ। ଖବର ପାଇ ମିଲ ମାଲିକ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ତାଙ୍କୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ। କୁଶଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଖବର ପାଇବା ପର୍ଯ୍ୟନ୍ତ ମିଲ ମାଲିକ ବଲାଙ୍ଗିର ଡାକ୍ତରଖାନାରେ ପହଞ୍ଚି ନାହାନ୍ତି। ମୋବାଇଲରେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କ ଫୋନ ସୁଇଚ ଅଫ ଥିବାରୁ ଯୋଗାଯୋଗ ହୋଇପାରୁନାହିଁ। ମିଲରେ କାର୍ଯ୍ୟରତ ଶ୍ରମିକମାନେ କୌଣସି ସୁରକ୍ଷା ପୋଷାକ ବିନା କାମ କରୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣା ପରେ ଶ୍ରମିକ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସାଥୀ ଶ୍ରମିକମାନେ କୁଶଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି।

