କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଦୃଢ଼ ଇଚ୍ଛାଶକ୍ତି ଓ ଅବିରତ ପ୍ରୟାସକୁ ପାଥେୟ କରି ସଫଳତା ହାସଲ କରାଯାଇପାରେ ବୋଲି ପ୍ରମାଣିତ କରିଛନ୍ତି ସଦ୍ୟ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ୧୧୩ତମ ସ୍ଥାନ ହାସଲ କରିଥିବା କେସିଙ୍ଗାର ଝିଅ ସଙ୍ଗୀତା ସେଠୀ। ସଙ୍ଗୀତା ୨୦୦୮ ଶିକ୍ଷା ବର୍ଷରେ କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କର ଏହି ଗୌରବମୟ ସଫଳତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ପରିଚାଳନା ସମିତିର ସଭ୍ୟସଭ୍ୟା ତଥା ଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସଙ୍ଗୀତାଙ୍କୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଗାଳ୍ପିକା ଯାଜ୍ଞସେନୀ ସାହା, ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା, ଶିକ୍ଷକ ଜି. କ୍ରୀଷ୍ଣା ରେଡ୍ଡୀ ଓ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିବ ପ୍ରସାଦ ସାହୁ ପ୍ରମୁଖ ସଙ୍ଗୀତା ସେଠୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ଆଗାମୀ ଦିନରେ ଜଣେ ଦକ୍ଷ ପ୍ରଶାସନିକ ସେବା ଅଧିକାରୀ ହିସାବରେ ସେ ଜନସେବା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରନ୍ତୁ ଏବଂ ଅଞ୍ଚଳର ଗୌରବ ବଢ଼ାନ୍ତୁ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ। ଉତ୍ସବରେ ସଙ୍ଗୀତାଙ୍କୁ ବିଦ୍ୟାଳୟ ତରଫରୁ ଏକ ମାନପତ୍ର ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ସଙ୍ଗୀତାଙ୍କ ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନ୍ୟ ଛାତ୍ରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

