ମାସେ ହେଲା ଥମୁନି ଆନ୍ଦୋଳନ, ଚାଷୀଙ୍କ ଚେତାବନୀ— ଏବେ ଆନ୍ଦୋଳନ ହେବ ଆହୁରି ତିବ୍ର

କୋକସରା/କ୍ରାନ୍ତିକ୍ଷେତ୍ର : ପି-ପାସ ପୋର୍ଟାଲ ଖୋଲିବା ଓ ଧାନ ବିକ୍ରି ପାଇଁ ପଞ୍ଜିକରଣ ଦାବିରେ କୋକସରାଠାରେ ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଆଜି ୨୫ ଦିନରେ ପହଞ୍ଚିଛି। ଗତ ମେ’ ୮ ତାରିଖରୁ ଜୟପାଟଣା, କୋକସରା ଓ ଧର୍ମଗଡ଼ ଅଞ୍ଚଳର ହଜାର ହଜାର ଚାଷୀ ଜାତୀୟ ରାଜପଥ-୨୬ ଅବରୋଧ କରିବା ପରେ ଗଣଧାରଣା ଦେଇଆସୁଛନ୍ତି। ତଥାପି ପ୍ରଶାସନ କିମ୍ବା ସ୍ଥାନୀୟ ପ୍ରତିନିଧିଙ୍କ ପକ୍ଷରୁ କୌଣସି ସାକାରାତ୍ମକ ପଦକ୍ଷେପ ନିଆଯାଇ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ୧୯ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ଚାଷୀଙ୍କ ଆମରଣ ଅନଶନ ପରେ, ପରିସ୍ଥିତି ଜଟିଳ ହେବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ୪ ଦିନର ସମୟ ମାଗିଥିଲେ। ମାତ୍ର ଏହି ପ୍ରତିଶ୍ରୁତିକୁ ୧୩ ଦିନ ବିତିଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ।

ଏଣେ ଗତ ୨୦ ତାରିଖରୁ ଜିଲ୍ଲାରେ ରବି ଧାନ କ୍ରୟ ପାଇଁ ସରକାରୀ ମଣ୍ଡି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏପଟେ ମେଗା ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଚାଷ କରିଥିବା ହଜାର ହଜାର ଚାଷୀ ଟୋକନ ଓ ପଞ୍ଜିକରଣରୁ ବଞ୍ଚିତ ହୋଇ ଆଜି ବି ରାଜରାସ୍ତାରେ ବସିଛନ୍ତି। ଅଞ୍ଚଳରେ ଧାନ କଟା ଜୋରସୋରରେ ଚାଲିଥିବା ବେଳେ, ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନକୁ ଖଲାରେ ଓ ରାସ୍ତା କଡ଼ରେ ରଖି ଚାତକ ଭଳି ଟୋକନକୁ ଅପେକ୍ଷା କରିଛନ୍ତି। ଏଣେ କାଳବୈଶାଖୀ ବର୍ଷାରେ ଖୋଲା ଆକାଶ ତଳେ ପଡ଼ିଥିବା ଧାନ ଭିଜି ନଷ୍ଟ ହେବାକୁ ବସିଲାଣି, ଯାହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏପଟେ କିନ୍ତୁ ସ୍ଥାନୀୟ ଶାସକ ଦଳର ବିଧାୟକ ବିଭିନ୍ନ ଗାଁରେ ଜନସମ୍ପର୍କ କାର୍ଯ୍ୟକ୍ରମ କରି ଟୋକନ ସମସ୍ୟା ନେଇ କେବଳ ସ୍ପଷ୍ଟିକରଣ ଓ ଆଶ୍ୱାସନା ଦେଉଥିବା ବେଳେ, ଦୀର୍ଘ ୨୫ ଦିନର ଆନ୍ଦୋଳନ ସ୍ଥଳକୁ ନଆସିବା ଚାଷୀଙ୍କ ଆକ୍ରୋଶକୁ ଦ୍ୱିଗୁଣିତ କରିଛି। ପ୍ରଶାସନର ଚରମ ଅବହେଳା ପ୍ରତିବାଦରେ ଚାଷୀ ସଂଘ ପୁଣି ଏକ ଚରମ ନିଷ୍ପତ୍ତି ନେଇଛି। ଆଜି କୋକସରା ଥାନାରେ ଏକ ଅଭିଯୋଗ ପତ୍ର ଦିଆଯାଇଛି ଏବଂ ବୁଧବାର ଦିନ ଠାରୁ ୫୦ରୁ ଊର୍ଦ୍ଧ୍ବ ଚାଷୀ ପୁଣିଥରେ ଆମରଣ ଅନଶନରେ ବସିବେ ବୋଲି ସଂଘର ଉପସଭାପତି ରାଜୀବ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି। ଚାଷୀଙ୍କ ଏହି ଆନ୍ଦୋଳନ ଆଗାମୀ ଦିନରେ ଆହୁରି ବ୍ୟାପକ ରୂପ ନେବାକୁ ଯାଉଛି।

Leave a Reply

Your email address will not be published. Required fields are marked *