ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀଙ୍କ ରାସ୍ତାରୋକ: ୭ ଘଣ୍ଟା ପରେ ପ୍ରଶାସନର ପ୍ରତିଶ୍ରୁତି, ଆନ୍ଦୋଳନ ପ୍ରତ୍ୟାହୃତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବଡକୁଟ୍ରୁ ଛକଠାରେ ମଣ୍ଡି ପରିଚାଳନାରେ ବ୍ୟାପକ ଅନିୟମିତତା ଏବଂ ଧାନ ଉଠିବାରେ ଅହେତୁକ ବିଳମ୍ବକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରାୟ ୭ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ପରେ ପ୍ରଶାସନିକ ଅଧିକାରୀଙ୍କ ଠୋସ୍ ପ୍ରତିଶ୍ରୁତି ପାଇବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଛନ୍ତି। ସୂଚନା ଅନୁଯାୟୀ, ବଡ଼କୁଟ୍ରୁ ଅଧୀନରେ ଥିବା ଚାଷୀମାନଙ୍କୁ ଗତ ମେ ୨୦ ତାରିଖରେ ଧାନ ବିକ୍ରୟ ପାଇଁ ଟୋକନ ପ୍ରଦାନ କରାଯାଇଥିଲା। କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସେମାନଙ୍କର ଧାନ ଉଠି ନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ନିଜର ୫ ଦଫା ଦାବି ନେଇ ଚାଷୀମାନେ ମଙ୍ଗଳବାର ସକାଳ ୬ଟାରୁ ବଦକୁଟ୍ରୁ ଛକ ନିକଟରେ ମୋଟେର – ଜୟପାଟଣା ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ଏହି ପ୍ରମୁଖ ମାର୍ଗରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଯାହାଫଳରେ ସାଧାରଣ ଯାତ୍ରୀ ତଥା ପଥଚାରୀମାନେ ଦୀର୍ଘ ସମୟ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘଟଣାସ୍ଥଳରେ ଏସିଏସ୍ଓ ରାଜାରାମ ହୋତା, ଏଆରସିଏସ୍ ସରୋଜ ପ୍ରଧାନ, କଲମପୁର ତହସିଲଦାର ସ୍ମରଣିକା ତୁଲ, ଏମଆଇ ଲିସା ସାହୁ, ଆରଏମସି ସେଗ୍ରେଟେରି ଭୁବନେଶ୍ୱର ବେହେରା, ଜୟପାଟଣା ଥାନା ଅଧିକାରୀ ଅର୍ଚ୍ଚନା ନାଏକ, କଲମପୁର ଥାନା ସବ ଇନ୍ସପେକ୍ଟର ଶିବଶଙ୍କର ମହାନ୍ତି, ବଡ଼କୁଟ୍ରୁ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ସହ ପୋଲିସ ବାହିନୀ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ଚାଷୀଙ୍କ ଦାବି ପୂରଣ ନେଇ ଠୋସ୍ ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ। ଏବେ ଚାଷୀମାନଙ୍କ ପାଇଁ ମୁଖ୍ୟ ପ୍ରଶ୍ନ ହେଉଛି, ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି କେତେ ଶୀଘ୍ର କାର୍ଯ୍ୟକାରୀ ହେଉଛି ଏବଂ ଆଗାମୀ ଦିନରେ ମଣ୍ଡି ପରିଚାଳନାରେ ସୁଧାର ଆସୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *