କୋକସରା/କ୍ରାନ୍ତିକ୍ଷେତ୍ର : ଦୀର୍ଘ ଦିନର ପ୍ରତିକ୍ଷା ଓ ପ୍ରଶାସନର ମିଥ୍ୟା ପ୍ରତିଶ୍ରୁତି ପ୍ରତିବାଦରେ କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ଚାଷୀମାନେ ପୁଣି ଥରେ ଆରପାର୍ ଲଢ଼େଇକୁ ଓହ୍ଲାଇଛନ୍ତି। କୋକସରା ଠାରେ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ବୁଧବାର ୨୬ ଦିନରେ ପହଞ୍ଚିଛି। ପୂର୍ବ ସୂଚନା ମୁତାବକ, କୋକସରା ଜାତୀୟ ରାଜପଥ ପାର୍ଶ୍ବରେ ୩୬ରୁ ଊର୍ଦ୍ଧ୍ବ ଚାଷୀ ଆମରଣ ଅନଶନରେ ବସିଛନ୍ତି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଏଆଇସିସି ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଜେଟି. କୁସୁମ କୁମାର ମଧ୍ୟ ଚାଷୀଙ୍କ ସହ ସାମିଲ ହୋଇ ସମର୍ଥନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଗତ ମେ’ ୧୯ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପରେ ୨୦ ଓ ୨୧ ତାରିଖରେ ୩ଟି ବ୍ଳକର ୯ ଜଣ ଚାଷୀ ଆମରଣ ଅନଶନରେ ବସିଥିଲେ। ସେତେବେଳେ ପରିସ୍ଥିତି ଜଟିଳ ହେବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାପାଳ ସେଠାରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ୪ ଦିନର ସମୟ ମାଗି ଚାଷୀଙ୍କୁ ଅନଶନରୁ ଓହରାଇଥିଲେ। ହେଲେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତିକୁ ୧୪ ଦିନରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି। ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକର ହଜାର ହଜାର ଚାଷୀ ନିଜ ହକ ପାଇଁ ଏବେ ମଧ୍ୟ ରାଜରାସ୍ତାରେ ବସି ରହିଛନ୍ତି। ଅନ୍ୟପଟେ ବିଜେପିର ନେତା ଓ କର୍ମୀମାନେ ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡ଼ିଆ)ରେ ଚାଷୀଙ୍କ ଟୋକନ ଆସିଥିବା ନେଇ ଜୋର ସୋରରେ ପ୍ରଚାର କରୁଛନ୍ତି। ଏହାକୁ ଚାଷୀ ସଂଘ ଦୃଢ଼ ଭାବେ ଖଣ୍ଡନ କରିଛି। ଚାଷୀ ସଂଘ ପକ୍ଷରୁ କୁହାଯାଇଛି ଯେ, ସରକାରୀ ସ୍ତରରେ ଆମକୁ କୌଣସି ସୂଚନା ମିଳିନାହିଁ, ତେଣୁ ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ପ୍ରଚାର କରାନଯାଉ। ଯଦି ସତରେ ଟୋକନ ଆସିଛି, ତେବେ ସରକାରୀ ଚିଠି କିମ୍ବା ଚାଷୀଙ୍କ ମୋବାଇଲକୁ ଆସିଥିବା ମେସେଜ୍ ସାମ୍ନାକୁ ଅଣାଯାଉ ବୋଲି ଚାଷୀ ସଂଘ ଚ୍ୟାଲେଞ୍ଜ କରିଛି। ଚାଷୀମାନେ ଏଭଳି ପ୍ରଖର ଖରାରେ ଆମରଣ ଅନଶନରେ ବସିଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ କିମ୍ବା ଶାସକ ଦଳର ସ୍ଥାନୀୟ ବିଧାୟକ ଆସି ସେମାନଙ୍କ ସହ ଆଲୋଚନା ମଧ୍ୟ କରିନାହାନ୍ତି। ଏପରିକି ଅନଶନକାରୀ ଚାଷୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ କୌଣସି ମେଡିକାଲ୍ ଟିମ୍ ମଧ୍ୟ ସେଠାରେ ପହଞ୍ଚି ନଥିବା ଚାଷୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ପ୍ରଶାସନର ଏଭଳି ଅମାନବୀୟ ଓ ଅବହେଳାପୂର୍ଣ୍ଣ ମନୋଭାବ ଯୋଗୁଁ ଚାଷୀ ମହଲରେ ତୀବ୍ର ଉଦବେଗ ପ୍ରକାଶ ପାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚାଷୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

