କଂକ୍ରିଟ୍ ରାସ୍ତାରେ କାଦୁଅର ସାମ୍ରାଜ୍ୟ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ କାଶିବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧନସରା ଗ୍ରାମରେ ଏକ ଅଭାବନୀୟ ସମସ୍ୟା ଦେଖାଦେଇଛି। ଗ୍ରାମର ଭାଗବତ ମଣ୍ଡପ ନିକଟ ମଝି ରାସ୍ତାରେ ଦୀର୍ଘ ଦିନ ହେବ କାଦୁଅ ପାଣି ଜମି ରହିବା ଫଳରେ ସ୍ଥାନୀୟ ଲୋକେ ଯାତାୟାତରେ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ସେଠାରେ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଭାଗବତ ମଣ୍ଡପ ପାଖରେ ଥିବା ନଳକୂଅରୁ ବାହାରୁଥିବା ପାଣି ନିଷ୍କାସନ ପାଇଁ ପୂର୍ବରୁ ଡ୍ରେନ୍ ନିର୍ମାଣ କରାଯାଇଛି। କିନ୍ତୁ ଜୈନେକ ବ୍ୟକ୍ତି ଉକ୍ତ ଡ୍ରେନ୍ କାର୍ଯ୍ୟର ଠିକା ନେଇ ନିର୍ମାଣ କରିଥିବା ବେଳେ, ତାହା ତାଙ୍କ ଘର ସାମ୍ନା ଦେଇ ଯାଇଥିବାରୁ ସେ’ ସେଠାରେ ଏକ ଗେଟ୍ ତିଆରି କରି ପାଣି ଛାଡୁ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଫଳରେ ନଳକୂଅର ବ୍ୟବହୃତ ପାଣି ଡ୍ରେନ୍‌କୁ ନଯାଇ ସିଧାସଳଖ ରାସ୍ତା ମଝିକୁ ବୋହି ଆସୁଛି। ରାସ୍ତାଟି କଂକ୍ରିଟ୍ ହୋଇଥିଲେ ମଧ୍ୟ ଉପର ପଟୁ ଆସୁଥିବା ବର୍ଜ୍ୟଜଳ ଏବଂ ନଳକୂଅ ପାଣି ସବୁ ଏକାଠି ଜମି ରହୁଛି। ଏହି କାରଣରୁ ଚଳିତ ଗ୍ରୀଷ୍ମ ଋତୁରେ ମଧ୍ୟ ସେଠାରେ ବର୍ଷା ଦିନ ଭଳି କାଦୁଅର ସାମ୍ରାଜ୍ୟ ଦେଖିବାକୁ ମିଳିଛି। ଏହି କଦୁଅଭରା  ରାସ୍ତା ଦେଇ ଯିବାଆସିବା କରିବା ସମୟରେ ଅନେକ ବାଇକ୍ ଚାଳକ ସ୍ଲିପ୍ କରି ପଡ଼ିଯିବା ସହ ଆହତ ଓ ଖଣ୍ଡିଆଖାବରା ହେଉଥିବା ଜଣାପଡ଼ିଛି। ଏହି ଜନସମସ୍ୟା ପ୍ରତି ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଡ୍ରେନ୍ ଅବରୋଧ ହଟାଇବା ସହ ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ ବୋଲି ଗ୍ରାମର କ୍ଷୀର ବେମାଲ, ତନୁକଲାଲ ନାଗ, ଘାସିରାମ ବେମାଲ, ହେମକାନ୍ତ ଶବର, ସୀତାରାମ ନାଗ, ପିତ ରାଉତ, ଈଶ ଶବର, ଚମାର ଶବର, ଗୋପାଳ ସାହୁ ଏବଂ ଚିତ୍ର ଶବରଙ୍କ ସମେତ ସ୍ଥାନୀୟ ଜନସାଧାରଣ ଦୃଢ଼ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *