ଚାଷୀଙ୍କ ଜିଦ୍ ଆଗରେ ନଇଁଲା ସରକାର ; ମାସକର ସଂଘର୍ଷ ପରେ ହକ୍ ଛଡ଼ାଇ ଆଣିଲେ ଅନ୍ନଦାତା

କୋକସରା/କ୍ରାନ୍ତିକ୍ଷେତ୍ର : ଶେଷରେ ହାର ମାନିଲା ପ୍ରଶାସନ, ଜିତିଗଲେ ଅନ୍ନଦାତା! ଦୀର୍ଘ ମାସେ ପାଖାପାଖି ସଂଘର୍ଷ ପରେ ସରକାରଙ୍କ ଆଗରେ ନିଜ ହକ୍ ଛଡ଼ାଇ ଆଣିଛନ୍ତି ମେଗା ଲିଫ୍ଟ ପ୍ରକଳ୍ପ ଜରିଆରେ ଚାଷ କରିଥିବା କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ଚାଷୀ। ପି-ପାସ ପୋର୍ଟାଲ ଖୋଲିବା ଓ ପଞ୍ଜିକରଣ ଦାବିରେ ପ୍ରାୟ ଏକ ମାସ କାଳ କୋକସରା ଥାନା ସମ୍ମୁଖ ଜାତୀୟ ରାଜପଥ କଡ଼ରେ ଖରା, ତରସକୁ ଖାତିର ନକରି ଚାଲିଥିଲା ଆନ୍ଦୋଳନ। ୨ ତାରିଖରୁ ଚାଷୀମାନେ ସମସ୍ତ ପ୍ରସ୍ତୁତି ସହ ଗତ ୮ ତାରିଖରେ କୋକସରାଠାରେ ଜାତୀୟ ରାଜପଥ ଅବରୋଧ, ପରେ ୧୨ ଦିନର ଧାରଣା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ସାକାରତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହା ପରେ ଚାଷୀ ୨ଦିନ ପାଇଁ ଆମରଣ ଅନଶନରେ ବସିଥିଲେ। ଜିଲ୍ଲାପାଳ ଆସି ଚାଷୀ ମାନଙ୍କୁ ୪ ଦିନର ସମୟ ମାଗିଥିଲେ ସତ ହେଲେ ୧୩ ଦିନ ପରେ ମଧ୍ୟ କୌଣସି ସୁଫଳ ମିଲି ନଥିଲା। ଏହାପରେ ପୁଣି ଥରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଚାଷୀ ଦିତୀୟ ଥର ପାଇଁ ଆମରଣ ଅନଶନରେ ବସିଲେ। ତେବେ ଆମରଣ ଅନଶନର ଦ୍ୱିତୀୟ ଦିନ ଅର୍ଥାତ୍ ଗୁରୁବାର ସରକାର ଓ ପ୍ରଶାସନକୁ ଚାଷୀଙ୍କ ଜିଦ୍ ଆଗରେ ନଇଁବାକୁ ପଡ଼ିଥିଲା।

ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇବା ସହ ଚାଷୀଙ୍କ ମୋବାଇଲକୁ ଧାନ ବିକ୍ରି ପାଇଁ ‘ଟୋକନ୍’ ମେସେଜ୍ ଆସିବା ଆରମ୍ଭ ହୋଇଥିଲା। ଏହାପରେ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଅନଶନ ସ୍ଥଳରେ ପହଞ୍ଚି ଚାଷୀଙ୍କୁ ଟୋକନ ଆସିବା ସମ୍ପର୍କରେ ଆଧିକାରିକ ସୂଚନା ଦେବା ପରେ ଚାଷୀକୁଳ ଆନ୍ଦୋଳନରୁ ଓହରିଥିଲେ। ଚାଷୀ ସଂଘ ପକ୍ଷରୁ କୁହାଯାଇଛି ଯେ, ଏହା କେବଳ ଆନ୍ଦୋଳନର ବିଜୟ ନୁହେଁ, ବରଂ ଚାଷୀ ଏକତା ଓ ସେମାନଙ୍କ ନ୍ୟାଯ୍ୟ ହକର ବିଜୟ। ସୋସିଆଲ ମିଡିଆର ଭ୍ରମାତ୍ମକ ଖବରକୁ ପଛରେ ପକାଇ ସରକାରୀ ସ୍ତରରେ ସୁଫଳ ମିଳିଥିବାରୁ ଚାଷୀ ମହଲରେ ଏବେ ଖୁସିର ଲହରୀ ଖେଳିଯାଇଛି। ଚାଷୀମାନେ ଏହି ବିଜୟ ପରେ ପରସ୍ପର କୁ ମିଠା ଖୁଆଇବା ସହ ଖୁସିରେ ବାଜା ବଜାଇ, ବାଣ ଫୁଟାଇ କୋକସରା ଓ ଲଡୁଗାଁ ପରିକ୍ରମା କରି ନାଚି ନାଚି ବିଜୟ ଉତ୍ସବ ମନାଇଥିଲେ। ଏବଂ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ କୁ ସମର୍ଥନ ଜଣାଇଥିବା ସମସ୍ତ ବିରୋଧୀ ଦଳ, ବିଭିନ୍ନ ସାମାଜିକ ସଂଗଠନ, ଗଣମାଧ୍ୟମ ପ୍ରତିନିଧି ଓ ଯେଉଁମାନେ ଏହାକୁ ସମର୍ଥନ କରିଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଶେଷ କରି ଚାଷୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ମଧ୍ୟ ଏକଜୁଟ ହୋଇ ରହିବାକୁ ଆହ୍ବାନ ଦେଇଛନ୍ତି। ଏଥିସହ ସରକାରଙ୍କୁ ମଧ୍ୟ ଟୋକନ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟପଟେ ଚାଷୀଙ୍କ ଏହି ମାସେ କାଳର ଆନ୍ଦୋଳନ ସ୍ଥଳରେ ସ୍ଥାନୀୟ ବିଧାୟକ ନ ଆସିବା ଏବଂ ଏହା ଚାଷୀ ଆନ୍ଦୋଳନ ନୁହେଁ ଏହା ବିରୋଧୀ ଦଳ ଗୁଡ଼ିକର ସମାବେଶ ବୋଲି କହି ନିଶାନା କରିଥିଲେ।

ତେବେ ଏହି ଆନ୍ଦୋଳନରେ ବିଜେଡି, କଂଗ୍ରେସ ସମେତ ପ୍ରମୁଖ ରାଜନୈତିକ ଦଳ ଗୁଡିକ ୩ ବ୍ଳର ପ୍ରାୟ ୧୫ ହଜାର ଚାଷୀ ମାନଙ୍କ ନ୍ୟାର୍ଯ୍ୟ ଦାବି କୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ଯାହା ଲୋକଙ୍କ ସରକାର ବୋଲାଉଥିବା ବିଜେପି ସରକାରଙ୍କୁ ପ୍ରଶ୍ନଚିହ୍ନ ଲଗାଇଛି। ଏଣେ ଚାଷୀଙ୍କ ଏହି ମହାନ ବିଜୟ ପ୍ରମାଣିତ କରିଦେଇଛି ଯେ, ଅନ୍ନଦାତା ଯଦି ନିଜ ଜିଦ୍‌କୁ ଆସେ, ତେବେ ବଡ଼ ବଡ଼ ଶକ୍ତିକୁ ମଧ୍ୟ ମଥାନତ କରିବାକୁ ପଡ଼େ। ଏହି ସଫଳ ଆନ୍ଦୋଳନ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ସଭାପତି ପୁରୁଷୋତ୍ତମ ଦାସ ଗୁପ୍ତା ଓ ଉପସଭାପତି ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଏଥିରେ ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୁଆରୀ, ପ୍ରଶାନ୍ତ ତିୱାରୀ, ରବିନାରାୟଣ ଦାସ, ଦୁର୍ଗା ନାଏକ, ତ୍ରିଭୁବନ ପ୍ରଧାନୀ, ବେଣୁଧର ଦୁର୍ଗା, ପଞ୍ଚକ ପୋଡ଼, ନିମାଇଁ ଚରଣ ଧଙ୍ଗଡ଼ାମାଝୀ, ପଙ୍କଜ ମୁଖ ଚୈଧୁରୀ, ଅରୁଣ ମାଝୀ, ଧବଲେଶ୍ୱର ନାଗ, ପ୍ରମୋଦ ପଣ୍ଡା, ଆମେଜ ଧରୁଆ, ଦିଗାମ୍ବର ବେମାଲ, ସହଦେବ ଦାସ, ଯୁବରାଜ ପୋଡ଼, ବିଶ୍ବନାଥ ପଟ୍ଟନାୟକ, ନବିନ ନାଏକ, ଗୋବର୍ଦ୍ଧନ ବାଗ, ବସନ୍ତ ପଟ୍ଟନାୟକ, ତ୍ରିମୋହନ ନାଏକ, ଭକ୍ତିରାମ ପୋଡ଼, ନିଲାମ୍ବର ବାରିକଙ୍କ ସମେତ ତିନୋଟି ବ୍ଲକର ଶତାଧିକ ଚାଷୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *