କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଲମପୁର ଅଞ୍ଚଳବାସୀଙ୍କ ଦାବୀକୁ ଦୃଷ୍ଟିରେ ରଖି କଲମପୁର ବିଡ଼ିଓଙ୍କ ଦ୍ଵାରା ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରିବା ସହ ପରୁଆଗୁଡା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟ ପାଇଁ ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ସମ୍ପୂର୍ଣ୍ଣ କରାଯାଇଛି। ଆଜି ଆଦିବାସୀ ସମନ୍ୱିତ ଛାତ୍ରୀ ନିବାସ ଅଂଚଳ ପାଇଁ ଏକ ଖୁସିର ବାର୍ତ୍ତା ପ୍ରଦାନ କରିଅଛି। କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀଙ୍କ ସଭାପତିତ୍ବ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ କରକମଳରେ ଅନୁସୂଚିତ ଜନଜାତି ଛାତ୍ରୀ ନିବାସର ଶୁଭ ଉଦଘାଟନ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷା ଜ୍ୟୋତି ନାଏକ, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ତସିଲଦାର ସ୍ମରଣିକା ତୁଳ, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ଷଡ଼ଙ୍ଗୀ, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମୋହିତ କୁମାର ଭୋଇ, ଏଇଇ ପ୍ରକାଶ ଚନ୍ଦ୍ର ସେଠୀ, ନିର୍ବାଚିତ ପ୍ରତିନିଧି ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ସହ ସରକାରଙ୍କ ଯୋଜନା ଅନୁଯାୟୀ ଘରଡ଼ିହ ପଟ୍ଟା ବଣ୍ଟନ, ହାରାମାଲ ଏବଂ କୋଟାଗାଁ ମଣ୍ଡି ପାଇଁ ଜମି ପଟ୍ଟା ପ୍ରଦାନ, ଗୃହନିର୍ଦ୍ଧେଶନାମା, ବାର୍ଦ୍ଧକ୍ୟ ଭତ୍ତା, ସ୍ୱାସ୍ଥ୍ୟବୀମା ଯୋଜନା କାର୍ଡ, ରାସନ କାର୍ଡ, ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ସହାୟତା ରାଶି ବିଧାୟକଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। ସେହିଭଳି ମିନଗୁରରେ ମଧ୍ୟ ସରକାରୀ ବିଭିନ୍ନ ଯୋଜନାରେ ସାମିଲ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।

