ମଣ୍ଡି ଅଚଳାବସ୍ଥା ପ୍ରତିବାଦରେ ତହସିଲ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଲମପୁର ପେକ୍ସ ଅଧୀନରେ ଥିବା ୫ଗୋଟି ମଣ୍ଡିର ଚରମ ଅଚଳାବସ୍ଥାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଧାନ ବିକ୍ରି ପ୍ରକ୍ରିୟାରେ ଦେଖାଦେଇଥିବା ସମସ୍ୟାର ସମାଧାନ ଦାବି କରି ଆଜି ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇବା ସହ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଚାଷୀ  ବିପିନ ପ୍ରଧାନୀ, ରବୀନ୍ଦ୍ର ନାଏକ, ଅଭିରାମ ବାଗ, ଉଗ୍ରେ ନାଏକ, ଶ୍ରୀବତ୍ସ ପଣ୍ଡା, ପଙ୍କଜ ଶର୍ମା ଏବଂ ରାଧେଶ୍ୟାମ ଶର୍ମାଙ୍କ ନେତୃତ୍ୱରେ ଏକ ବିଶାଳ ଚାଷୀ ସମାବେଶ ବଙ୍କାପାଲାଠାରୁ ବାହାରି ପାତ୍ରବସା ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହାପରେ ଚାଷୀମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଆନ୍ଦୋଳନ ସ୍ଥଳରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ପହଞ୍ଚି ଚାଷୀଙ୍କ ସମସ୍ୟାକୁ ସମର୍ଥନ ଜଣାଇବା ସହ ପ୍ରଶାସନ ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ତୁରନ୍ତ ସମାଧାନର ପନ୍ଥା ବାହାର କରିବାକୁ ଜୋର ଦେଇଥିଲେ। ଏହା ସହିତ ପେକ୍ସ ସଭାପତି ଶଙ୍କର୍ଷଣ ବେହେରା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ଷେତ୍ର ମୋହନ ବାଗ ମଧ୍ୟ ଉପସ୍ଥିତ ରହି ଚାଷୀଙ୍କ ଦାବି ସପକ୍ଷରେ ମତ ରଖିଥିଲେ। ଖବର ପାଇ ଘଟଣାସ୍ଥଳରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ, ତହସିଲଦାର ସ୍ମରଣିକା ତୁଳ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ରାଜାରାମ ହୋତା ଏବଂ ଯୋଗାଣ ନିରୀକ୍ଷଣ ଲିସା ସାହୁ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଚାଷୀଙ୍କ ସମସ୍ତ ଯୁକ୍ତିଯୁକ୍ତ ଦାବି ଶୁଣିବା ପରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀହୋତା ଆଗାମୀ ଦିନରେ ଏସବୁ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ନିଜର ଆନ୍ଦୋଳନରୁ ଓହରିଥିଲେ। ପ୍ରଶାସନ ଯଦି ସମୟ ସୀମା ମଧ୍ୟରେ ପଦକ୍ଷେପ ନନିଏ, ତେବେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚାଷୀ ମହଲରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *