ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ : ପୋଲିସ ଚଢ଼ାଉରେ ୨ ଅଟକ, ୨ ଫେରାର

ଅନୁଗୋଳ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଧୀନ ଗୋତମରା ଗ୍ରାମର ବିଶ୍ୱନାଥପୁର ମଠ ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପୋଲିସ ପଣ୍ଡ କରିଛି। ବିଶେଷ ସୂତ୍ରରୁ ସୂଚନା ପାଇ ପୋଲିସ ଅଚାନକ ଚଢ଼ାଉ କରି ୨ ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ପ୍ରାୟ ୪ଟା ସମୟରେ କିଛି ଦୁର୍ବୃତ୍ତ ଅପରାଧ ଘଟାଇବା ପାଇଁ ଗୁପ୍ତ ବୈଠକ କରୁଥିବା ଖବର ପୋଲିସ ପାଇଥିଲା। ଏହାପରେ ବଅଁରପାଳ ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଓ ଅନ୍ୟ ଜଣଙ୍କୁ ଗୋତମରା ଗ୍ରାମ ବାଲିସାହି ପାଇପ୍‌ଲାଇନ୍ ଅଞ୍ଚଳରୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା।ତେବେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପିଛା କରୁଥିବା ବେଳେ ସେମାନେ ପୋଲିସ ଉପରକୁ ବନ୍ଧୁକରୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଭାଗ୍ୟବଶତଃ ଏହି ଗୁଳିକାଣ୍ଡରେ କୌଣସି ପୋଲିସ କର୍ମଚାରୀ ଆହତ ହୋଇନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଏସଡିପିଓ ରମାକାନ୍ତ ମହାଳିକ, ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ, ଏସଆଇ ଅମିତ ମିଶ୍ର ଓ ଏସଆଇ କମଳାକ୍ଷ ପ୍ରସାଦ ନାୟକଙ୍କ ସହ ସଦଳବଳ ପୋଲିସ ବାହିନୀ ପହଞ୍ଚି ଅପରେସନ ଜାରି ରଖିଥିଲେ। ଅଞ୍ଚଳଟି ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବାରୁ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବନ ବିଭାଗର ଡ୍ରୋନ୍ କ୍ୟାମେରା ସହାୟତାରେ ତଲାସି ଅଭିଯାନ ଚାଲିଛି। ପୋଲିସ ହେପାଜତରେ ଥିବା ଦୁଇ ଅଭିଯୁକ୍ତ ହେଲେ ବଅଁରପାଳ ଅଞ୍ଚଳର ବଳିଆ ନାଏକ ଓ ସଞ୍ଜୟ ନାଏକ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *