କାମୁଡ଼ାରେ ଯୁବକଙ୍କ ମୃତ୍ୟୁ: ଗୋଲାମୁଣ୍ଡା ଅଞ୍ଚଳରେ ଶୋକ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଞ୍ଚଳର କୁମ୍ଭାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଷାକ୍ତ ସାପ କାମୁଡ଼ାରେ ଜଣେ ୩୬ ବର୍ଷୀୟ ଯୁବକଙ୍କର ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ ହେଲେ କୁମ୍ଭାରୀ ଗ୍ରାମର ପ୍ରତାପ ପୁଟେଲ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୩ଟା ସମୟରେ ପ୍ରତାପ ନିଜ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ଏକ ବୋଲେରୋ ଗାଡ଼ି ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲେ। ଏହି ସମ୍ପର୍କରେ ମୃତକଙ୍କ ସ୍ତ୍ରୀ ସୁଫଳ ପୁଟେଲଙ୍କ ଲିଖିତ ଅଭିଯୋଗ ଆଧାରରେ ଫାଣ୍ଡି ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଭବାନୀପାଟଣାଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ, ମୃତଦେହକୁ ଶେଷକୃତ୍ୟ ପାଇଁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଯୁବକଙ୍କ ଅକାଳ ମୃତ୍ୟୁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ବାତାବରଣ ଖେଳିଯାଇଛି।

Leave a Reply

Your email address will not be published. Required fields are marked *