ମାରଣାତ୍ମକ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲାରୁ ଆସିଛି ଏକ ସ୍ତବ୍ଧ କଲାଭଳି ଖବର। ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମାରଣାତ୍ମକ ଆକ୍ରମଣ କରାଯାଇଛି, ଯେଉଁଥିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ କଲମପୁର ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି କୁଟ୍ରୁ ଗାଁର ସୁରଞ୍ଜନ ମାଝୀ ନାମକ ଜଣେ ଯୁବକ, ସାମାନ୍ୟ ବଚସାକୁ କେନ୍ଦ୍ର କରି ସେହି ଗାଁର ରଞ୍ଜନ ନାୟକ ଓରଫ ପ୍ରତାପଙ୍କୁ ମାରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ରଞ୍ଜନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ ଆଜି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏପଟେ ହତ୍ୟା ଅଭିଯୋଗରେ ସୁରଞ୍ଜନ ମାଝୀଙ୍କୁ କଲମପୁର ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। କଲମପୁର ଥାନା ଆଇଆଇସି ସୁନୀଲ କୋଣ୍ଡାଗୋରୀ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *