ରାୟଗଡ଼ାରେ ବାଘ ଛାଲ ଜବତ : ୮ ଜଣ ଗିରଫ

ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନସ୍ଥ ରିଭଲକଣା ଛକଠାରେ ଚାଲିଥିବା ଏକ ବେଆଇନ କଲରାପତରିଆ ବାଘ ଛାଲ କିଣାବିକା (ଡିଲ୍) ଉପରେ ବନ ବିଭାଗ ଚଢ଼ାଉ କରିଛି। ଏହି ମାମଲାରେ ବନ ବିଭାଗ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ଏକ ମୋଟରସାଇକେଲ ଏବଂ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣ କଳାହାଣ୍ଡି ଜିଲ୍ଲାର ଏବଂ ୫ ଜଣ ରାୟଗଡ଼ା ଜିଲ୍ଲାର ବୋଲି ଜଣାପଢ଼ିଛି। କଳାହାଣ୍ଡି ଜିଲ୍ଲାର ଜିତେନ୍ଦ୍ର ବେନିଆ, ଇଜେରାଓ ସାହୁ ଏବଂ ମୁନୁଗା ମାଝି ଏବଂ ରାୟଗଡ଼ା ଜିଲ୍ଲାର ଭରତ ନାଚିକା, ସୀମାଦ୍ରି ତାଡ଼ିଙ୍ଗି, କୈଳାସ ଜାନି, ପ୍ରଶାନ୍ତ କାଡ୍ରାକା ଏବଂ ଧର୍ମ ପାତିକା ବୋଲି ସୂଚନା ମିଳିଛି। କଲ୍ୟାଣସିଂହପୁର ରେଞ୍ଜର ସଚ୍ଚିଦାନନ୍ଦ ପରିଡ଼ାଙ୍କ ସୂଚନା ଅନୁସାରେ, ଏହି ବେଆଇନ ଡିଲ୍ ସମ୍ପର୍କରେ ବନ ବିଭାଗକୁ ଦୁଇ ଦିନ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା। ଏହାକୁ ଆଧାର କରି ରାୟଗଡ଼ା ଡିଏଫଓ ସଚିନ ଆନ୍ନାସାହେବ ଓହୋଲଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ କଲ୍ୟାଣସିଂହପୁର ଓ ରାୟଗଡ଼ା ରେଞ୍ଜ ଟିମ୍ ମିଳିତ ଭାବେ ଟ୍ରାପ୍ ବିଛାଇ ଏହି ଚଢ଼ାଉ କରିଥିଲେ। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାରେ କଳାହାଣ୍ଡି ଜିଲ୍ଲା ବନ ବିଭାଗ ଟିମ୍ ମଧ୍ୟ ସହାୟତା କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରାୟ ୨ ରୁ ୪ ମାସ ପୂର୍ବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରୁ ମାତ୍ର ୮-୧୦ କିଲୋମିଟର ଦୂର ଜଙ୍ଗଲରେ ଏହି କଲରାପତରିଆ ବାଘର ଶିକାର କରାଯାଇଥିଲା। ଶିକାରୀ ଜଣକ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଢ଼ିବା ପରେ ସେଠାକାର ବନ ବିଭାଗ ତାକୁ ମଧ୍ୟ ଗିରଫ କରିଛି। କଲ୍ୟାଣସିଂହପୁର ବ୍ଲକ ସହ କଳାହାଣ୍ଡି ଜିଲ୍ଲାର ସୀମା ନିକଟତର ହୋଇଥିବାରୁ ବେପାରୀମାନେ ଏହି ରାସ୍ତା ଦେଇ ରିଭଲକଣାକୁ ଡିଲ୍ ପାଇଁ ଆସିଥିଲେ।

Leave a Reply

Your email address will not be published. Required fields are marked *