ସଇଁତଲାରେ ଜାତୀୟ ରାଜପଥରୁ ଜବରଦଖଲ ଉଛେଦ

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର : ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସଇଁତଲା ସହରରେ ବଡ଼ ଧରଣର ଜବରଦଖଲ ଉଛେଦ ଅଭିଯାନ ଆରମ୍ଭ ହୋଇଛି। ଜାତୀୟ ରାଜପଥ ୨୬ କଡ଼ରେ ଦୀର୍ଘ ବର୍ଷ ଧରି ସରକାରୀ ଜମିକୁ ମାଡି ବସି ନିର୍ମାଣ ହୋଇଥିବା ଘର, କୋଠା ଓ ଦୋକାନ ବଜାର ଉପରେ ପ୍ରଶାସନର ବୁଲଡୋଜର ଚାଲିଛି। ଜାତୀୟ ରାଜପଥ  ରାସ୍ତା କଡ଼ରେ ବେଆଇନ ନିର୍ମାଣ ଯୋଗୁଁ ରାସ୍ତା ସଂକୁଚିତ ହୋଇଯାଇଥିଲା। ଫଳରେ ଏହି ରାସ୍ତାରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିଲା ଏବଂ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିଲା। ସ୍ଥାନୀୟ ଲୋକ ଏବଂ ଯାତ୍ରୀଙ୍କ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଉଛେଦ ପୂର୍ବରୁ ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କୁ ପନ୍ଦର ଦିନର ନୋଟିସ ଦିଆଯାଇଥିଲା। ସମୟସୀମା ଶେଷ ହେବା ପରେ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ, ତହସିଲଦାର, ଟିଟିଲାଗଡ଼ ଏସ,ଡି,ପି,ଓ ଙ୍କ ଉପସ୍ଥିତିରେ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଛେଦ ଯୋଗୁଁ ଅନେକ ଲୋକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। କିଛି ପରିବାର ରାତାରାତି ବାସହରା ହୋଇଯାଇଥିବା ଦେଖିବାକୁ ମିଳିଛି। କ୍ଷତିଗ୍ରସ୍ତ ଲୋକେ ପ୍ରଶାସନ ନିକଟରେ ଥଇଥାନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସେମାନଙ୍କ କହିବା କଥା, ବର୍ଷ ବର୍ଷ ଧରି ଏଠାରେ ରହି ଆସୁଥିବାରୁ ବିକଳ୍ପ ବ୍ୟବସ୍ଥା ନ କଲେ ଜୀବନ ଜୀବିକା ନଷ୍ଟ ହୋଇଯିବ। ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଅନୁସାରେ ସରକାରୀ ଜମି ଉପରେ ବେଆଇନ କବଜା ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ବିପଦରେ ପଡୁଥିଲା। ରାଜପଥକୁ ଅବରୋଧ ମୁକ୍ତ କରିବା ଏବଂ ଦୁର୍ଘଟଣା ରୋକିବା ପାଇଁ ଏହି ଅଭିଯାନ ଜରୁରୀ ଥିଲା। ଆଗକୁ ମଧ୍ୟ ଜିଲ୍ଲାର ଅନ୍ୟ ସ୍ଥାନରେ ଜବରଦଖଲ ଉଛେଦ ଜାରି ରହିବ ବୋଲି ପ୍ରଶାସନ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *