କଳାହାଣ୍ଡିର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲଉ ପ୍ରଧାନଙ୍କ ପରଲୋକ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାର ଜଣେ ଅତ୍ୟନ୍ତ ଲୋକପ୍ରିୟ, ମହାନୁଭବ ତଥା ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲଉ ପ୍ରଧାନଙ୍କର ଆକସ୍ମିକ ପରଲୋକ ଘଟିଛି। ତାଙ୍କର ଏହି ବିୟୋଗ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ପ୍ରଧାନଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡାକ୍ତର ପଲଉ ପ୍ରଧାନ କେବଳ ଜଣେ ଚିକିତ୍ସକ ନଥିଲେ, ବରଂ କଳାହାଣ୍ଡିବାସୀଙ୍କ ପାଇଁ ଜଣେ ସେବାବ୍ରତୀ ଥିଲେ। ସରକାରୀ ଚାକିରିରୁ ଅବସର ଗ୍ରହଣ କରିବା ପରେ ମଧ୍ୟ ସେ ରୋଗୀ ସେବାରୁ ଦୂରେଇ ଯାଇନଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ସେ ଗରିବ ଓ ଅସହାୟ ଶିଶୁମାନଙ୍କର ଚିକିତ୍ସା କରୁଥିଲେ। ତାଙ୍କର ଏହି ଅମାୟିକ ବ୍ୟବହାର ଓ ସ୍ୱଳ୍ପ ଖର୍ଚ୍ଚରେ ସେବା ଯୋଗାଇଦେବା ଗୁଣ ଯୋଗୁଁ ସେ ପ୍ରତିଟି ଘରେ ଆଦରଣୀୟ ହୋଇପାରିଥିଲେ। ଚିକିତ୍ସାକୁ ବ୍ୟବସାୟ ନୁହେଁ, ବରଂ ବ୍ରତ ଭାବେ ଗ୍ରହଣ କରିଥିବା ଏଭଳି ଜଣେ ଡାକ୍ତରଙ୍କୁ ହରାଇ କଳାହାଣ୍ଡି ଆଜି ଜଣେ ପ୍ରକୃତ ଜନସେବକଙ୍କୁ ହରାଇଛି। ତାଙ୍କର ଏହି ଅକାଳ ବିୟୋଗରେ ଜିଲ୍ଲାର ବିଭିନ୍ନ ମହଲ, ଚିକିତ୍ସକ ସଂଘ ଓ ସାଧାରଣ ଜନତା ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *