ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଆଧୁନିକ ଯନ୍ତ୍ରପାତି ଓ ଚାକଚକ୍ୟ ଭିତରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ପାରମ୍ପରିକ କମାରଶାଳ ଏବେ ସଙ୍କଟରେ। ପ୍ରୋତ୍ସାହନ ଅଭାବରୁ ବଂଶାନୁକ୍ରମିକ ଭାବେ ଚାଲିଆସୁଥିବା ଏହି କୌଳିକ ବୃତ୍ତି ଏବେ ହଜିଯିବାକୁ ବସିଲାଣି। ଦିନେ ଯେଉଁ କାରିଗରମାନଙ୍କ କାର୍ଯ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ପରିଚୟ ସୃଷ୍ଟି କରିଥିଲା, ଆଜି ସେମାନେ ଅଭାବ ଅନଟନରେ କାଳାତିପାତ କରୁଛନ୍ତି। ପୂର୍ବରୁ ଚାଷ କାମ ପାଇଁ ବ୍ୟବହୃତ ଲୁହାଲଙ୍ଗଳ, କୁରାଢ଼ୀ, ଦା, କଟୁରୀ, ଶାବଳ ଓ ପନିକି ଆଦି ତିଆରି ଏବଂ ସେଗୁଡ଼ିକର ଦାଢ଼ କରି କମାର ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ବଜାରରେ କମ୍ ମୂଲ୍ୟରେ ରେଡିମେଡ୍ ଜିନିଷ ମିଳିବା ଏବଂ ଚାଷକାର୍ଯ୍ୟରେ ଟ୍ରାକ୍ଟରର ବ୍ୟବହାର ଯୋଗୁଁ ଲୋକେ କମାରଶାଳ ଉପରେ ନିର୍ଭରଶୀଳତା କମାଇ ଦେଇଛନ୍ତି। ପେଟ ପୋଷିବା ପାଇଁ କାରିଗରମାନେ ସାପ୍ତାହିକ ହାଟ ଉପରେ ଭରସା କରୁଥିଲେ ମଧ୍ୟ କଞ୍ଚାମାଲ ଯଥା କାଠ, ଅଙ୍ଗାର, କୋଇଲା ଓ ଲୁହାର ଆକାଶଛୁଆଁ ଦର ବାଧକ ସାଜିଛି। ଆଶାନୁରୂପ ଆୟ ନଥିବାରୁ ଏବଂ କଠିନ ପରିଶ୍ରମ ତୁଳନାରେ ମଜୁରୀ ମିଳୁନଥିବାରୁ ନୂତନ ଯୁବପିଢ଼ି ଏହି ବୃତ୍ତି ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ବହୁ କାରିଗର ପେଟ ବିକଳରେ ଦାଦନ ଖଟିବାକୁ ଅନ୍ୟତ୍ର ଚାଲିଯାଉଛନ୍ତି। ସରକାରଙ୍କ ପକ୍ଷରୁ କୌଣସି ସ୍ୱତନ୍ତ୍ର ଯୋଜନା ନଥିବା ସହ ବ୍ୟାଙ୍କ ଋଣ ଓ ଭିତ୍ତିଭୂମି ବିକାଶରେ ସହାୟତା ମିଳୁନଥିବା ନେଇ ସ୍ଥାନୀୟ କାରିଗର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି କୁଶଳୀ କାରିଗରମାନଙ୍କୁ ଆର୍ôଥକ ପ୍ରୋତ୍ସାହନ ପ୍ରଦାନ ନକରନ୍ତି, ତେବେ ଏହି ପାରମ୍ପରିକ ଶିଳ୍ପ ସବୁଦିନ ପାଇଁ ବିଲୁପ୍ତ ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି।

