କୁଦଗାଁ ଜୈବବିବିଧତା ପରିଚାଳନା ସମିତିକୁ ପ୍ରକୃତିମିତ୍ର ପୁରଷ୍କାର

ଅନୁଗୁଳ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର ) : ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ କୁଦଗାଁ ଜୈବବିବିଧତା ପରିଚାଳନା ସମିତି ( ବିଏମସି) କୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ମିତ୍ର ପୁରଷ୍କାର ପ୍ରଦାନ କରାଯାଇଅଛି । ଜିଲ୍ଲା ସ୍ତରୀୟ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ଅନୁଗୋଳ ସଭାଘର ଠାରେ ଏହି ପୁରଷ୍କାର ପାଇଁ ଏକ ମାନପତ୍ର ସହିତ ୨୦ ହଜାର ଟଙ୍କା ସମିତିର ଅଧ୍ଯକ୍ଷ ଅଭିମନ୍ଯୁ କର୍ଣ୍ଣଙ୍କୁ ପ୍ରଦାନ କରାଯାଇଅଛି । ମାନ୍ଯବର ବିଧାୟକ ଛେଣ୍ଡିପଦା ଅଗସ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ଯକ୍ଷା ବବିତା ପ୍ରଧାନ, ଆର୍.ସି.ସି.ଏଫ୍ ଡା. ସଂଜୟ କୁମାର ସ୍ବାଇଁ ଙ୍କ କରକମଳରୁ ଏହି ପୁରଷ୍କାର ଶ୍ରୀକର୍ଣ୍ଣ ଗ୍ରହଣ କରିଥିଲେ । କୁଦଗାଁ ଜୈବବିବିଧତା ପରିଚାଳନା ସମିତି ପଂଚାୟତସ୍ତରୀୟ ଏକ ଜୈବବିବିଧତା ନଥିପତ୍ର ପ୍ରସ୍ତୁତି କରିଥିବା ବେଳେ ଜୈବିକ କୃଷି, ଦେଶୀୟ ପ୍ରଜାତିର ବିହନର ସୁରକ୍ଷା ଓ ପ୍ରୟୋଗ, ଦେଶୀୟ ପ୍ରଜାତିର ଗଛଲତା ଓ ଔଷଧୀୟ ଗଛଲତାର ସୁରକ୍ଷା ଏବଂ ଧାରାବାହିକ ବ୍ଯବହାର , ପ୍ଲାଷ୍ଟିକ ବ୍ଯବହାର ନିୟତ୍ରଣ ସହିତ ସ୍ଥାନୀୟ ନଦୀନାଳ, ପୋଖରୀର ସୁରକ୍ଷା ଓ ପୁନରୁଦ୍ଧାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ କରିଅଛି । କୁଦଗାଁ ର ଦେଶୀୟ ବାଇଗଣ ଓ କନ୍ଦମୂଳ ର ଚାଷକୁ ପାରମ୍ପରିକ ଦେଶୀୟ ଢଙ୍ଗରେ କରିଆସୁଥିବାର ନିଷ୍ଠା ଏବଂ ସ୍ବତନ୍ତ୍ର ଭାବେ ଘରଚଟିଆ ମାନଙ୍କର ସୁରକ୍ଷା ରେ ପଦକ୍ଷେପ ନେଇଥିବାରୁ ସରକାରଂକ ପକ୍ଷରୁ ପ୍ରକୃତି ମିତ୍ର ପାଇବା ପାଇଁ ଯୋଗ୍ଯ ହୋଇଛନ୍ତି । ଜୈବବିବିଧତା ସମିତିର ଅଧ୍ଯକ୍ଷ ଶ୍ରୀ କର୍ଣ୍ଣ ସ୍ଥାନୀୟ ସରପଞ୍ଚ ସିଦ୍ଧାର୍ଥ ଶଙ୍କର କ୍ଷେତି, ଓଡିଶା ଜୈବବିବିଧତା ବୋର୍ଡର ଟିମ୍ , ସ୍ଥାନୀୟ ବନ ବିଭାଗ ସହିତ ଅନ୍ଯାନ୍ଯ ସରକାରୀ ବିଭାଗ ଏବଂ ପଂଚାୟତର ସମସ୍ତ ଗ୍ରାମବାସୀଙ୍କ ସହଯୋଗ ପାଇଁ ଆମର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଥିବା ଓ ପୁରଷ୍କାର ମିଳିଥିବା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *