କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ସରକାରୀ ବାବୁଙ୍କ ପେଟ ପୁରୁନି, ଆଉ ଏବେ ମହିଳା ଅଧିକାରୀ ମଧ୍ୟ ଲାଞ୍ଚ ନେବାରେ ପଛେଇ ନାହାନ୍ତି। ଜଣେ ହିତାଧିକାରୀଙ୍କ ଝାଳବୁହା ଧନକୁ ହଡ଼ପ କରିବାକୁ ଯାଇ ଶେଷରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ମହିଳା ସରକାରୀ କର୍ମଚାରୀ। କଳାହାଣ୍ଡିରୁ ଆସିଛି ଏହି ଖବର। ଭବାନୀପାଟଣା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ମନରେଗା ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନାଙ୍କୁ ରଙ୍ଗେହାତ ଗିରଫ କରିଛି ଭିଜିଲାନ୍ସ। ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଅଭିଯୋଗ ଅନୁଯାୟୀ, ଜଣେ ହିତାଧିକାରୀ ଏକ ଫାର୍ମ ପଣ୍ଡ ବା ପୋଖରୀ କାମ ଶେଷ କରିଥିଲେ। ହେଲେ ସେହି କାମର ବିଲ୍ ପାସ୍ କରାଇଦେବା ପାଇଁ ଅଧିକାରୀ ପ୍ରିୟଙ୍କା ଜେନା କରୁଥିଲେ ଟାଳଟୁଳ ନୀତି। ଶେଷରେ ବିଲ୍ ପାସ୍ କରାଇବା ବଦଳରେ ସେ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସକୁ ଜଣାଇବା ପରେ ବିଛାଯାଇଥିଲା ସ୍ପେଶାଲ୍ ଜାଲ। ଯୋଜନା ମୁତାବକ, ଆଜି ଯେତେବେଳେ ପ୍ରିୟଙ୍କା ଜେନା ୩୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିଲେ, ସେତିକିବେଳେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏବଂ ତାଙ୍କ ଠାରୁ କେମିକାଲ୍ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି। ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ପ୍ରିୟଙ୍କା ଜେନାଙ୍କ ଅଫିସ୍ ସହ ତାଙ୍କ ଭଡ଼ା ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଛି ଏବଂ ଅଧିକ ତଦନ୍ତ ଚାଲିଛି। ସରକାରୀ ଯୋଜନାରେ କାମ କରି ସେଥିରୁ ନିଜର ପ୍ରାପ୍ୟ ପାଇବା ପାଇଁ ମଧ୍ୟ ଏବେ ଲାଞ୍ଚ ଦେବାକୁ ପଡ଼ୁଛି। ତେବେ ଏହି ମାମଲାରେ ଆଗକୁ ଆଉ କେଉଁ କେଉଁ ବଡ଼ ବାବୁଙ୍କ ସଂପୃକ୍ତି ସାମ୍ନାକୁ ଆସୁଛି।

