ଫରଙ୍ଗ ଗ୍ରାମ ପଞ୍ଚାୟତରେ ଜନଶୁଣାଣି ଶିବିର : ୧୧୯ ଟି ଅଭିଯୋଗ ମଧ୍ୟରୁ ୪୧ ଟି ତତ୍କାଳ ସମାଧାନ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସମୀକ୍ଷା ଓ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ଶିବିର ପରିଚାଳିତ ହୋଇଥିଲା। ଶିବିରରେ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପ୍ରୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁର ମହାନନ୍ଦ, ସ୍ଥାନୀୟ ସରପଞ୍ଚ ହୀରାବତୀ ଭୋଇ ଏବଂ ସମିତି ସଭ୍ୟା ଅପର୍ଣ୍ଣା ବାରିକ, ରାଜସ୍ୱ ନିରୀକ୍ଷକ କ୍ଷମାନିଧି ନାଏକ, ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦ୍ରହାସ୍ୟ ବିହାରୀ, ଗ୍ରାମୀଣ ଆବାସ ବ୍ଲକ୍ ପ୍ରୋଜେକ୍ଟ କୋଅର୍ଡିନେଟର ମଧୁ ସାହୁ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ରିତାରାଣୀ କିଷାନ, ସହକାରୀ ମତ୍ସ୍ୟ ଅଧିକାରୀ ବନ୍ଦନା ରାନୀ ପଣ୍ଡାଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଏହି ଶିବିରରେ ସମୁଦାୟ ୧୧୯ଟି ବ୍ୟକ୍ତିଗତ ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ୪୧ଟି ଅଭିଯୋଗର ଶିବିର ସ୍ଥଳରେ ହିଁ ତତ୍କାଳ ସମାଧାନ କରାଯାଇଛି। ଗ୍ରାମୀଣ ଆବାସ ଗୃହ ପାଇଁ ସର୍ବାଧିକ ୮୮ଟି ଆବେଦନ ମିଳିଛି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ୨୨ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି। ଏହି ଅବସରରେ ଏକ ମାନବିକତାର ଚିତ୍ର ଦେଖିବାକୁ ମିଳିଥିଲା। “ବିନ୍ଦୁମିନା ସେବା ଫାଉଣ୍ଡେସନ” ତରଫରୁ ଫରଙ୍ଗ ଗ୍ରାମର ଜଣେ ଅନାଥ (ବାପା, ମାଁ ନଥିବା) ଦିବ୍ୟାଙ୍ଗ ଯୁବକ ଅମରେଶ ବାଗ (୩୨) ଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା। ଫାଉଣ୍ଡେସନର ଏହି ସେବା କାର୍ଯ୍ୟକୁ ସ୍ଥାନୀୟ ପ୍ରଶାସନ ଓ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *