ଛତ୍ରପୁର/କ୍ରାନ୍ତିକ୍ଷେତ୍ର (ରଞ୍ଜିତ ପ୍ରଧାନ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନଙ୍କର ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଅସୁସ୍ଥ ଥିବା ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଛତ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସ୍ୱର୍ଗତା ଶର୍ମିଷ୍ଠା ପ୍ରଧାନ ଜଣେ ମେଳାପୀ, ପରୋପକାରୀ, ବନ୍ଧୁବତ୍ସଳ ଓ ସମାଜସେବୀ ବ୍ୟକ୍ତିତ୍ୱ ଭାବେ ଅଞ୍ଚଳରେ ସୁପରିଚିତ ଥିଲେ। ନିଜର ସରଳ ବ୍ୟବହାର, ମଧୁର କଥାବାର୍ତ୍ତା ଓ ସଦା ହସମୁଖ ଚେହେରା ପାଇଁ ସେ ସହରବାସୀଙ୍କ ଅତ୍ୟନ୍ତ ପ୍ରିୟ ଥିଲେ।
ଛତ୍ରପୁର ଚର୍ଚ୍ଚ ରୋଡ଼ ନିବାସୀ ତଥା ଯୁବ ନେତା କେ. ଚନ୍ଦ୍ରଶେଖର ରେଡ୍ଡୀଙ୍କ ଧର୍ମପତ୍ନୀ ଶର୍ମିଷ୍ଠା ପ୍ରଧାନ ୨୦୨୨ ମସିହାରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ପଦ ପାଇଁ ସିଧାସଳଖ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୩୦ ମାର୍ଚ୍ଚ ୨୦୨୨ରେ ସେ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଛତ୍ରପୁର ଏନଏସିକୁ ପୌର ପରିଷଦର ମାନ୍ୟତା ମିଳିଥିଲା, ଯାହା ତାଙ୍କ ନେତୃତ୍ୱର ଏକ ଉଲ୍ଲେଖନୀୟ ସଫଳତା ଭାବେ ପରିଗଣିତ।
ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସମାଜସେବୀ, କାଉନସିଲର ଏବଂ ସାଧାରଣ ଜନତା ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜ ପଛରେ ସ୍ୱାମୀ ଓ ଏକମାତ୍ର ପୁଅଙ୍କୁ ଛାଡ଼ି ଯାଇଛନ୍ତି।
ତାଙ୍କ ବିୟୋଗରେ ଛତ୍ରପୁର ଜଣେ ଲୋକପ୍ରିୟ ଜନନେତ୍ରୀ ଏବଂ ସମାଜ ଜଣେ ନିଷ୍ଠାବାନ ସେବିକାଙ୍କୁ ହରାଇଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ତାଙ୍କ ସ୍ମୃତି ଦୀର୍ଘଦିନ ଧରି ଛତ୍ରପୁରବାସୀଙ୍କ ହୃଦୟରେ ଅମ୍ଳାନ ହୋଇ ରହିବ।

