ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : ପୁଣି ଜଣେ ଗରିବ ଅସହାୟ ପରିବାର ପାଇଁ ଦେବଦୂତ ସାଜିଛି “ବିନ୍ଦୁମିନା ସେବା ଫାଉଣ୍ଡେସନ”। ଭୁବନେଶ୍ୱରରୁ ଜଣେ ଗରିବ ବ୍ୟକ୍ତିଙ୍କ ମରଶରୀରକୁ ନିଜ ଗାଁକୁ ସମ୍ପୂର୍ଣ୍ଣ ମାଗଣାରେ ଆଣି ପରିବାରକୁ ବଡ଼ ସାହାରା ଦେଇଛି ଏହି ସେବା ସଂଗଠନ। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗର୍ଗାବ ଗାଁର ସୁବଲ ବୁଦ୍ଧିଆ (୪୪) ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ନିଜ ସ୍ତ୍ରୀ, ଦୁଇ ଟି ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ଗଠିତ ଗରିବ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ “ସମ ହସ୍ପିଟାଲ”ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତ୍ୟୁ ପରେ ଆର୍ଥିକ ଅନାଟନ ଯୋଗୁଁ ମରଶରୀରକୁ ଭୁବନେଶ୍ୱରରୁ ନିଜ ଗାଁକୁ ନେବା ପାଇଁ ପରିବାର ବର୍ଗ ସମ୍ପୂର୍ଣ୍ଣ ଅସମର୍ଥ ହୋଇପଡ଼ିଥିଲେ ଏବଂ ସହଯୋଗ ପାଇଁ ଆକୁଳ ନିବେଦନ କରିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ଓ ସ୍ଥାନୀୟ ଯୁବ ସମାଜସେବୀ ବିକାଶ ସାହୁ “ବିନ୍ଦୁମୀନା ସେବା ଫାଉଣ୍ଡେସନ”ର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ସହ ଯୋଗାଯୋଗ କରିଥିଲେ। ଅଧ୍ୟକ୍ଷ ମହାନନ୍ଦଙ୍କ ତତ୍ପରତା ଯୋଗୁଁ ଫାଉଣ୍ଡେସନ ପକ୍ଷରୁ ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ମରଶରୀରକୁ ସୁଦୂର ଭୁବନେଶ୍ୱର ରୁ ଗର୍ଗାବ ଗାଁକୁ ଆଣିବା ପରେ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଫାଉଣ୍ଡେସନର ଏହି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯିବା ସହ ଆଗକୁ ଏମିତି ଗରିବ, ଅସହାୟ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କ ସେବା କରିବା ପାଇଁ ସଂଗଠନକୁ ଭଗବାନ ଆହୁରି ଶକ୍ତି ଦିଅନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।

