ଝରୀଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ରାଜ୍ୟବ୍ୟାପୀ ସରକାରୀ ଯୋଗାଯୋଗ ଓ ନାଗରିକ ସମ୍ପୃକ୍ତି କାର୍ଯ୍ୟକ୍ରମର ସଫଳ ଆୟୋଜନ ଏବଂ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଯୋଜନାର ଲାଭ ପହଞ୍ଚାଇବା ପାଇଁ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ କନଫରେନ୍ସ ହଲ୍ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ମଧୁସୂଦନ ମାଝୀଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ, ଆସନ୍ତା ଜୁନ ୧୮ ତାରିଖରେ ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏହାପରେ ଜୁନ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ସରକାରୀ ସେବା ଶିବିର ଆୟୋଜନ କରାଯିବ। ଏହି ଶିବିରଗୁଡ଼ିକରେ ତହସିଲ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, କୃଷି, ବନବିଭାଗ ଏବଂ ପୋଲିସ ସମେତ ସମସ୍ତ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ। ବୈଠକର ନିର୍ଦ୍ଦେଶ ଅନୁସାରେ, ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ କ୍ଷେତ୍ରର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବେ। କାର୍ଯ୍ୟକ୍ରମ ସ୍ଥଳରେ ହିତାଧିକାରୀଙ୍କ ତାଲିକା ଓ ଆବଶ୍ୟକ ରେକର୍ଡ ସହ ଉପସ୍ଥିତ ରହି ସରକାରୀ ସହାୟତା, ପ୍ରମାଣପତ୍ର ଓ ଅନ୍ୟାନ୍ୟ ସେବା ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରିବା ଏବଂ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣଙ୍କ ସମ୍ପୃକ୍ତି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସରକାରୀ ଯୋଜନାର ଲାଭ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଲୋକଙ୍କ ଦୁଆର ମୁହଁରେ ସେବା ଉପଲବ୍ଧ କରାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି ବୈଠକରେ ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ସେବା ପ୍ରଦାନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜିପିଓ ସୁବାଷ ଡାଲି ସଭା ମଞ୍ଚ ପରିଚାଳନା କରିଥିଲେ।

