କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ସିଉନୀ-ପତ୍ରବସା ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସିପଡ଼ି ଚାପି ହୋଇଯିବା ଫଳରେ ଜଣେ ଶ୍ରମିକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ପରେ ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଏକ ଘରେ ଲୁଚାଇ ରଖାଯାଇଥିବା ନେଇ ମାଲିକ ତଥା ଡ୍ରାଇଭରଙ୍କ ବିରୋଧରେ ସଂଘାତିକ ଅଭିଯୋଗ ଆସିଛି। ମୃତ ଶ୍ରମିକ ଜଣକ ହେଲେ ଆମପାଣି ପଞ୍ଚାୟତ କନ୍ଦାଗଡ ଗ୍ରାମର କ୍ଷୀରସିନ୍ଧୁ ମାଝୀଙ୍କ ପୁଅ ତ୍ରିନାଥ ମାଝୀ (୧୮)। ସୂଚନା ଅନୁଯାୟୀ, ବୁଧବାର ଦିନ ପାତ୍ରବସା ଗ୍ରାମର ଏକ ଟ୍ରାକ୍ଟରରେ ତ୍ରିନାଥ ଶ୍ରମିକ ଭାବେ କାମ କରୁଥିଲେ। ନିକଟସ୍ଥ କମଲ ନଦୀରୁ ବାଲି ଲୋଡ୍ କରି ସିଉନୀ ଗ୍ରାମରେ ଖାଲି କରି ଫେରୁଥିବା ସମୟରେ, ସିଉନି-ପାତ୍ରବସା ରାସ୍ତାରେ ହଠାତ୍ ତ୍ରିନାଥ ଟ୍ରାକ୍ଟରରୁ ଖସିପଡ଼ିଥିଲେ ଏବଂ ତାଙ୍କ ଉପରେ ଟ୍ରଲିଟି ମାଡ଼ି ଯାଇଥିଲା। ଦୁର୍ଘଟଣା ପରେ ଗୁରୁତର ଶ୍ରମିକଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପରିବର୍ତ୍ତେ ଟ୍ରାକ୍ଟର ମାଲିକ ତଥା ଡ୍ରାଇଭର ତାଙ୍କୁ କନ୍ଦାଗଡ ବାଲିପଡାର ଏକ ଘରେ ନେଇ ରଖିଥିଲେ। ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ ଉଦ୍ଦେଶ୍ୟରେ ଟ୍ରାକ୍ଟର ମାଲିକ ଶ୍ରମିକଙ୍କ ପରିବାରକୁ ନଜଣାଇ ତାଙ୍କୁ ଗୋପନରେ ଲୁଚାଇ ରଖିଥିଲେ, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ସନ୍ଦେହ ପ୍ରକାଶ ପାଇଛି। ଏହା ପଛରେ ଅନ୍ୟ କୌଣସି ରହସ୍ୟ ଥାଇପାରେ ବୋଲି ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୌଣସି ସୂତ୍ରରୁ ଖବର ପାଇ ତ୍ରିନାଥଙ୍କ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କ ଠାରୁ ସମସ୍ତ ବିଷୟ ଜାଣିବା ପରେ ତୁରନ୍ତ କୋକସରା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଆମପାଣି ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଆମପାଣି ପୋଲିସ କୋକସରା ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ଗୁରୁବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଏବଂ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

