ଆମପାଣି ମଣ୍ଡଳ ବିଜେପିରେ ଅସନ୍ତୋଷର ଧୂଆଁ – ପୁରୁଣା କର୍ମୀଙ୍କ ଅଭିମାନ, ଦଳକୁ ପଡ଼ିପାରେ ମହଙ୍ଗା!

କ୍ରାନ୍ତିକ୍ଷେତ୍ର/ବ୍ୟୁରୋ : ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର କୋକସରା ବ୍ଳକ ଅନ୍ତର୍ଗତ ଆମପାଣି ଜିଲ୍ଲାପରିଷଦ ଜୋନ୍‌ ଏବେ ସ୍ଥାନୀୟ ରାଜନୀତିର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ତ୍ତମାନ ଏହି ଆସନଟି ବିଜେଡି ହାତରେ ଥିବାବେଳେ, ଏଠାରେ ନିଜର ସଂଗଠନକୁ ଅଧିକ ମଜବୁତ୍ କରିବା ପାଇଁ ବିଜେପି ଜୋରଦାର ପ୍ରୟାସ ଚଳାଇଛି। ହେଲେ ସଂଗଠନ ବୃଦ୍ଧି ପରିବର୍ତ୍ତେ ଦଳ ଭିତରେ ବଢୁଥିବା ଆଭ୍ୟନ୍ତରୀଣ ଅସନ୍ତୋଷ ଏବେ ବିଜେପି ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ବର୍ଷ ବର୍ଷ ଧରି ରକ୍ତଝାଳ ବୁହାଇ ଦଳକୁ ଠିଆ କରିଥିବା ପୁରୁଣା ଓ ଅଭିଜ୍ଞ କର୍ମକର୍ତ୍ତାମାନେ ଏବେ ଅଣଦେଖାର ଶିକାର ହୋଇ କୋଣଠେସା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ, ବିଗତ ଦିନରେ ଯେଉଁ ପୁରୁଣା କର୍ମୀମାନେ ପ୍ରତିକୂଳ ପରିସ୍ଥିତିରେ ବି ଦଳୀୟ ସଂଗଠନକୁ ବଞ୍ଚାଇ ରଖିଥିଲେ, ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। କୌଣସି ସାଙ୍ଗଠନିକ ଅଭିଜ୍ଞତା ନଥିବା କିଛି ନୂଆ କର୍ମକର୍ତ୍ତାଙ୍କୁ ଦଳରେ ଆବଶ୍ୟକତାରୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଓ କେତେକ ନୂଆଁ ଲୋକଙ୍କୁ ବଡ଼ ପଦପଦବୀ ମଧ୍ୟ ଦେଖିଥିବାରୁ ପୁରୁଣା ନେତୃତ୍ୱ ନିଜକୁ ଅଲୋଡ଼ା ମନେ କରୁଛନ୍ତି। ଦଳ ଭିତରେ କୁହୁଳୁଥିବା ଏହି ଅସନ୍ତୋଷର ନିଆଁ ଏପର୍ଯ୍ୟନ୍ତ ପ୍ରକାଶ୍ୟକୁ ଆସି ନଥିଲେ ମଧ୍ୟ ସାଙ୍ଗଠନିକ ସ୍ତରରେ ଏହା ତୀବ୍ର ରୂପ ଧାରଣ କଲାଣି ବୋଲି ନାମ ଗୋପନ ରଖି ଦଳର କିଛି ଆଗଧାଡ଼ିର ପୂର୍ବତନ ପଦାଧିକାରୀ ପ୍ରକାଶ କରିଛନ୍ତି। ଏହି ଅସନ୍ତୋଷ କେବଳ ଆମପାଣି ମଣ୍ଡଳରେ ସୀମିତ ନାହିଁ, ବରଂ ସମଗ୍ର କୋକସରା ଅଞ୍ଚଳର ବିଭିନ୍ନ ମଣ୍ଡଳୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦଳର ବହୁ ପୁରାତନ ତଥା ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଏବେ ବିଜେପିର ସଭା ସମିତିଗୁଡ଼ିକରୁ ଦୂରେଇ ରହୁଛନ୍ତି। ଯେଉଁମାନେ ଦିନେ କୌଣସି ବି ଜନଆନ୍ଦୋଳନ କିମ୍ବା ସାମୂହିକ ସମସ୍ୟା ପାଇଁ ସର୍ବପ୍ରଥମେ ରାଜପଥକୁ ଓହ୍ଲାଉଥିଲେ, ସେମାନଙ୍କର ଏହି ହଠାତ୍ ନୀରବତା ଦଳ ଭିତରେ ଥିବା ତୀବ୍ର ବିରୋଧାଭାସକୁ ସ୍ପଷ୍ଟ ଭାବେ ଜଳଜଳ କରି ଦେଖାଉଛି। ଶୁଣିବାକୁ ମିଳୁଛି ଯେ, ଗତ ସାଧାରଣ ନିର୍ବାଚନ ସମୟରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ଦଳ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲା। ତେବେ ଦଳୀୟ ବିଧାୟକ ବିଜୟୀ ହେବା ପରେ, ଟିକେଟ ଆଶାୟୀ ଥିବା ଅନ୍ୟ ନେତାଙ୍କ ସମର୍ଥନରେ ଥିବା କର୍ମୀ ଓ ନେତୃବୃନ୍ଦଙ୍କୁ ଏବେ ସମ୍ପୂର୍ଣ୍ଣ କଣଠେସା କରି ଦିଆଯାଇଛି। ଦଳୀୟ ଶୀର୍ଷ ନେତୃତ୍ୱ ଏସବୁ ଜାଣିଶୁଣି ନୀରବ ରହିବା କାରଣରୁ କର୍ମୀମାନେ ଏବେ ଭାଗ ଭାଗ ହୋଇଯାଇଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ କର୍ମୀଙ୍କ ମଧ୍ୟରେ ଥିବା ଏହି ଆଭ୍ୟନ୍ତରୀଣ ବିବାଦ ଦଳ ଉପରେ ବ୍ୟାପକ ପ୍ରଭାବ ପକାଇବ ବୋଲି ସ୍ୱୟଂ ବିଜେପିର ଅସନ୍ତୁଷ୍ଟ କର୍ମୀମାନେ ଆଲୋଚନା କରୁଛନ୍ତି। ଯଦି ସମୟ ଥାଉ ଥାଉ ପୁରୁଣା ଓ ନୂଆ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାନଯାଏ, ତେବେ ଆମପାଣି ଜୋନ୍‌ ସମେତ ସମଗ୍ର କୋକସରା ବ୍ଲକରେ ଦଳକୁ ଏହାର ଭାରି ମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି। ପଞ୍ଚାୟତ ନିର୍ବାଚନ ଆଗକୁ, ବିଜେପିର ଗୋଷ୍ଠୀ କନ୍ଦଳ ବିଜେଡି ପାଇଁ ସୁଯୋଗ ସୃଷ୍ଟି କରିବା ସୁନିଶ୍ଚିତ, ଏଣେ କଂଗ୍ରେସ ଦଳ ନିଜର ଦପଦପା କରିବା ପାଇଁ ଉଦ୍ୟମ କରୁଛି। ଏସବୁ ଭିତରେ ବିଜେପିର ଦଳୀୟ କର୍ମୀ ଅସନ୍ତୋଷର ଧୁଆଁ ବିରୋଧି ଦଳ ପାଇଁ ମୈକା ଆଣି ଦେଇଥିବା ଅନେକ ଚର୍ଚ୍ଚା ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *