କୋକସରା/କ୍ରାନ୍ତିକ୍ଷେତ୍ର : ବିଦେଶ ମାଟିରେ ଓଡ଼ିଶାର ଜନଜାତି ସଂସ୍କୃତି ଓ ପ୍ରତିଭାର ଚମତ୍କାର ପ୍ରଦର୍ଶନ। ରୋମାନିଆରେ ଅନୁଷ୍ଠିତ ବିଶ୍ୱ ଥିଏଟର ଫେଷ୍ଟିଭାଲ୍ରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ କିଟ୍ ଓ କିସ୍ ର ଛାତ୍ରଛାତ୍ରୀମାନେ ଭାଗନେଇ ସର୍ବୋଚ୍ଚ ସ୍ଥାନ ହାସଲ କରିବା ସହ ଇତିହାସ ରଚିଛନ୍ତି। ବିଶ୍ୱବିଜୟୀ ହୋଇ ନିଜ ମାଟିକୁ ଫେରିବା ପରେ ଆଜି କୋକସରାଠାରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ପ୍ରତିଷ୍ଠିତ କିଟ୍ ଓ କିସ୍ର ପ୍ରାୟ ୨୦ ଜଣିଆ ଛାତ୍ରଛାତ୍ରୀ ଦଳ ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଯୋଗଦେଇଥିଲେ। ସେମାନେ ପ୍ରସିଦ୍ଧ ନାଟ୍ୟକାର ଶେକ୍ସପିଅରଙ୍କ ନାଟକକୁ ଇଂରାଜୀ ଏବଂ ସାନ୍ତାଳୀ ଭାଷାର ସମନ୍ୱୟରେ ମଞ୍ଚସ୍ଥ କରିଥିଲେ। ବିଶେଷ କରି ସାନ୍ତାଳୀ ଭାଷା ଓ ଶୈଳୀରେ ପରିବେଷିତ ଏହି ନାଟକ ସେଠାକାର ବିଦେଶୀ ଦର୍ଶକ ଓ ବିଚାରକମାନଙ୍କୁ ସମ୍ପୂର୍ଣ୍ଣ ଆକର୍ଷିତ କରିଥିଲା। ବିଶ୍ୱର ଅନେକ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡ଼ିଶାର ଏହି ଦଳ ପ୍ରଥମ ସ୍ଥାନ ଅଧିକାର କରି ଦେଶ ପାଇଁ ଗୌରବ ଆଣିଛନ୍ତି। ରୋମାନିଆରୁ ଫେରିବା ପରେ ଏହି ସଫଳ ଛାତ୍ରଛାତ୍ରୀ ଦଳ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ନିଜର ଚମତ୍କାର ନାଟକ ପ୍ରଦର୍ଶନ କରିଥିଲେ। ଏହାପରେ ସାରା ରାଜ୍ୟ ଭ୍ରମଣ କ୍ରମରେ ଶୁକ୍ରବାର ଦିନ ନବରଙ୍ଗପୁର ଜିଲ୍ଲାରୁ କଳାହାଣ୍ଡି ଅଭିମୁଖେ ଆସୁଥିବା ବେଳେ କୋକସରା ବ୍ଳକର ଆମପାଣି ଠାରେ ଏକ ଆଧ୍ୟାତ୍ମିକ ଓ ଭାବପୂର୍ଣ୍ଣ ପରିବେଶରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। କୋକସରା କିଟ୍ ଓ କିସ୍ ଶାଖା ପକ୍ଷରୁ କଳାହାଣ୍ଡିର ଆରାଧ୍ୟ ଦେବତା ଆମପାଣିର ପ୍ରଭୁ ବୁଢ଼ାରଜା ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବିଜୟୀ ଦଳର ସମସ୍ତ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଏହି ଅଦ୍ଭୁତପୂର୍ବ ସଫଳତାକୁ ନେଇ ବେଶ୍ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି। ଏହି ସମ୍ବର୍ଦ୍ଧନା ସମାରୋହରେ କୋକସରା ବ୍ଲକ ସଂଯୋଜକ ଶନ୍ତ କୁମାର ନାଏକ, ଜୟପାଟଣା ବ୍ଲକ ସଂଯୋଜକ ଡମ୍ବରୁଧର ନାଏକ, ରୁତୁରାଜ ମାଝି, ପରମାନନ୍ଦ ମାଝୀ, ଭୁବନେଶ୍ୱର ଦିଶାରୀ, ମନୋରଞ୍ଜନ ବାଣୁଆ, ସରପଞ୍ଚ ରୁକ୍ମଣୀ ବାଣୁଆ, ସୂର୍ଯ୍ୟ ପୂଝାରୀ, କୁମୁଦ ପୂଝାରୀ, ପ୍ରେମ ଶବର, ତୁଳସି ଶବର, ଚୁଲେନ୍ଦ୍ର ମାଝୀ, ପଦ୍ମଲୋଚନ ମାଝୀ, ଡମ୍ବରୁଧର ନାଏକ, ତୁଳସୀ ପ୍ରସାଦ ଶବର ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

