ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : ବନ୍ୟଲଘୁଜାତ ଦ୍ରବ୍ୟ ମଧ୍ୟରେ ନିମ୍ବ ଫଳ ଅନ୍ୟତମ। ବର୍ତ୍ତମାନ ସମୟରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଗ୍ରାମବାସୀ ଜଙ୍ଗଲ ଓ ଗ୍ରାମାଞ୍ଚଳରେ ଥିବା ନିମ୍ବ ଗଛରୁ ନିମ୍ବ ଫଳ ସଂଗ୍ରହ କରି ଅତିରିକ୍ତ ରୋଜଗାର କରୁଛନ୍ତି। ପ୍ରତିଦିନ ସକାଳୁ ମହିଳା, ପୁରୁଷ ଓ ଯୁବକମାନେ ନିମ୍ବ ଫଳ ସଂଗ୍ରହ କରି ସ୍ଥାନୀୟ ବ୍ୟବସାୟୀଙ୍କ ନିକଟରେ ବିକ୍ରି କରୁଛନ୍ତି। ବଜାରରେ ନିମ୍ବ ଫଳ କେଜି ପିଛା ୧୦ରୁ ୧୫ ଟଙ୍କା ଦରରେ ବିକ୍ରି ହେଉଥିବାରୁ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଏହା ଏକ ଛୋଟ କିନ୍ତୁ ଉପଯୋଗୀ ଆୟର ଉତ୍ସ ପାଲଟିଛି।ସଂଗ୍ରହ କରାଯାଇଥିବା ନିମ୍ବ ଫଳରୁ ତେଲ ଓ ବିଭିନ୍ନ ଔଷଧୀୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ଏହି କାରଣରୁ ବ୍ୟବସାୟୀମାନେ ଗ୍ରାମରୁ ନିମ୍ବ ଫଳ କ୍ରୟ କରି ବାହାର ବଜାରକୁ ପଠାଉଛନ୍ତି। କୃଷି କାମ କମ୍ ଥିବା ସମୟରେ ନିମ୍ବ ଫଳ ସଂଗ୍ରହ ଗ୍ରାମୀଣ ପରିବାରଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେଉଥିବାରୁ ଏହା ଗ୍ରାମାଞ୍ଚଳରେ ଏକ ରୋଜଗାରର ମାଧ୍ୟମ ଭାବେ ଉଭା ହୋଇଛି।

