ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରୁ ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକମାନେ ଦୀର୍ଘ ପାଞ୍ଚ ମାସ ପରେ ନିଜ ଗାଁକୁ ଫେରିଛନ୍ତି। ଜୀବିକା ନିର୍ବାହ ପାଇଁ ସେମାନେ ବାହାର ରାଜ୍ୟରେ କଠିନ ପରିଶ୍ରମ କରିଥିଲେ। ବର୍ତ୍ତମାନ ବର୍ଷା ଋତୁ ଓ ଚାଷବାସର ସମୟ ଆସିଥିବାରୁ ଘର ବାହୁଡ଼ା ପରେ ଶ୍ରମିକମାନେ ନିଜ ଜମିରେ ଚାଷ କାମରେ ନିୟୋଜିତ ହେବେ। ଦୀର୍ଘ ଦିନ ପରେ ପରିବାର ସହ ମିଳନ ହେବାରୁ ଗ୍ରାମାଞ୍ଚଳରେ ଖୁସିର ପରିବେଶ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅଭାବ ଯୋଗୁଁ ପ୍ରତିବର୍ଷ ଅନେକ ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଥିବା ବେଳେ ଚାଷ ଋତୁ ଆସିଲେ ସେମାନେ ପୁଣି ନିଜ ଗାଁକୁ ଫେରି ଚାଷ କାର୍ଯ୍ୟରେ ଯୋଗ ଦେଇଥାନ୍ତି ଗ୍ରାମାଞ୍ଚଳରେ ସ୍ଥାୟୀ ରୋଜଗାର ସୁଯୋଗର ଅଭାବ ଏବଂ ଆର୍ଥିକ ଅନଟନ ଯୋଗୁଁ ଅନେକ ପରିବାର ଆଜି ମଧ୍ୟ ଦାଦନ ଉପରେ ନିର୍ଭରଶୀଳ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଥିଲେ ମଧ୍ୟ ଅନେକ ଅଞ୍ଚଳରେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଓ ନିୟମିତ ରୋଜଗାର ସୃଷ୍ଟି ହୋଇପାରି ନାହିଁ। ଫଳରେ ଖଟିଖିଆ ଶ୍ରମିକମାନେ ପରିବାର ପୋଷଣ ପାଇଁ ପ୍ରତିବର୍ଷ ଜୀବନ ଓ ଜୀବିକାର ସଂଘର୍ଷ ନେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ତେବେ ଚାଷ ଋତୁ ଆସିବା ପରେ ସେମାନେ ପୁଣି ନିଜ ମାଟିକୁ ଫେରି କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି। ଅନ୍ୟପକ୍ଷରେ, ଗୋଲାମୁଣ୍ଡା ବ୍ଲକରେ ମନରେଗା ଅଧୀନରେ ବ୍ୟାପକ କାମ ଆସୁଥିବା ଦାବି କରାଯାଉଥିଲେ ମଧ୍ୟ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ଏହା ପ୍ରଶାସନର କାର୍ଯ୍ୟଦକ୍ଷତା ଓ ରୋଜଗାର ଯୋଜନାର ପ୍ରଭାବକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ଲୋକଙ୍କ ମତରେ, ଗ୍ରାମାଞ୍ଚଳରେ ବର୍ଷସାରା ନିୟମିତ ରୋଜଗାରର ସୁଯୋଗ ସୃଷ୍ଟି ହେଲେ ଦାଦନ ଶ୍ରମିକ ସମସ୍ୟା ବହୁ ପରିମାଣରେ ହ୍ରାସ ପାଇପାରିବ।

