ରକ୍ତଭିଜା ଶ୍ରମ ଉପରେ ଦଲାଲଙ୍କ ନଜର, ରଣମାଲ ମଣ୍ଡିରେ ଚାଷୀଙ୍କ ‘ରଣହୁଙ୍କାର

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ଚାଷୀ ଜାଣେ କେବଳ ଝାଳ ବୁହାଇ ସୁନା ଫଳାଇବା, ହେଲେ ସେହି ସୁନାକୁ ବିକିବା ପାଇଁ ଆଜି ସେ ରାଜଦାଣ୍ଡରେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ରଣମାଲ ମଣ୍ଡିରେ ଦେଖିବାକୁ ମିଳିଛି ଚରମ ଅବ୍ୟବସ୍ଥା ଓ ତୀବ୍ର ଉତ୍ତେଜନା। ଗତ ମେ’ ୨୦ ତାରିଖରୁ ଚାଷୀଙ୍କ ହାତକୁ ଟୋକନ୍ ମିଳିସାରିଛି, ହେଲେ ମାସେ ବିତିବାକୁ ବସିଥିଲେ ମଧ୍ୟ ମଣ୍ଡିରୁ ଧାନ ଉଠିବାର ନାଁ ନେଉନାହିଁ। ପ୍ରଖର ଖରା ଓ ବର୍ଷା ଆଶଙ୍କା ମଧ୍ୟରେ ଖୋଲା ଆକାଶ ତଳେ ପଡ଼ି ରହିଛି ଚାଷୀର ବର୍ଷକର ମେହନତ। ଅଭିଯୋଗ ହେଉଛି, ମଣ୍ଡିରେ ଏବେ ଚାଷୀଙ୍କ କଥା କେହି ଶୁଣୁନାହାନ୍ତି, ଚାଲିଛି କେବଳ ‘ମିଲର ରାଜ୍’। ସ୍ଥାନୀୟ ପେକ୍ସ ଏବଂ ଆରଏମସି  କର୍ମଚାରୀମାନେ ସମ୍ପୂର୍ଣ୍ଣ ଭାବେ ଦଲାଲ ଓ ମିଲରଙ୍କ ହାତବାରିସି ସାଜିଛନ୍ତି। ଏତିକିରେ ଦୁଃଖ ସରିନି; ମଣ୍ଡିରେ ଧାନ ଓଜନ କରିବା ପାଇଁ ଶ୍ରମିକମାନେ ନିରୀହ ଚାଷୀଙ୍କଠାରୁ ଜବରଦସ୍ତି ଟଙ୍କା ଆଦାୟ କରାଯାଉଛି। ପ୍ରଶାସନର ନାକ ତଳେ ଚାଲିଥିବା ଏହି ବେଆଇନ କାର୍ଯ୍ୟକଳାପ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହି ଶୋଷଣ ଓ ଅବ୍ୟବସ୍ଥା ବିରୋଧରେ ଆଜି ସକାଳ ୬ ଟାରୁ ‘ରଣମାଲ କୃଷକ ସଙ୍ଗଠନ’ ପକ୍ଷରୁ ମଣ୍ଡି ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ଚାଷୀଙ୍କ ସମସ୍ୟାର ସମାଧାନ ନହେବା ଏବଂ ଶେଷ ବସ୍ତା ଧାନ ନଉଠିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଆଦୌ ସ୍ଥଗିତ ହେବ ନାହିଁ ବୋଲି ସଙ୍ଗଠନ ସ୍ପଷ୍ଟ ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *