ଛତ୍ରପୁର/କ୍ରାନ୍ତିକ୍ଷେତ୍ର (ରଞ୍ଜିତ ପ୍ରଧାନ) : ରାଜ୍ୟ ସରକାରଙ୍କ “ସୋମନାଥ ସ୍ୱାଭିମାନ ଯାତ୍ରା” କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ୫୨ ଜଣ ତୀର୍ଥଯାତ୍ରୀ ରବିବାର ଦିନ ଗୁଜୁରାଟ ସ୍ଥିତ ସୋମନାଥ ଧାମ ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଛତ୍ରପୁର ନୂଆ ବସ୍ଷ୍ଟାଣ୍ଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଖଦ ଓ ସୁରକ୍ଷିତ ଯାତ୍ରା କାମନା କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେର୍କେଟା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ‘ସୋମନାଥ ସ୍ୱାଭିମାନ ଯାତ୍ରା’ ମାଧ୍ୟମରେ ତୀର୍ଥଯାତ୍ରୀମାନେ ଗୁଜୁରାଟ ସ୍ଥିତ ପବିତ୍ର ସୋମନାଥ ମନ୍ଦିର ଦର୍ଶନ କରିବା ସହ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆଧ୍ୟାତ୍ମିକ ପରମ୍ପରା ଓ ଐତିହାସିକ ଗୌରବ ସମ୍ପର୍କରେ ଅବଗତ ହେବେ।

ତୀର୍ଥଯାତ୍ରୀମାନଙ୍କ ଯାତ୍ରା ଓ ଦର୍ଶନକୁ ସୁବିଧାଜନକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ତୀର୍ଥଯାତ୍ରୀମାନେ ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଏହି ଯାତ୍ରା ଆଧ୍ୟାତ୍ମିକ ଚେତନା ସହ ଜାତୀୟ ଐତିହ୍ୟ ପ୍ରତି ସମ୍ମାନ ଓ ସଚେତନତା ବୃଦ୍ଧି କରିବ ବୋଲି ମତ ପ୍ରକାଶ ପାଇଛି।

