ଜୁନାଗଡ଼/କ୍ରାନ୍ତିକ୍ଷେତ୍ର : ସୁଧୁରୁନି ଧାନ ମଣ୍ଡିର ଅବ୍ୟବସ୍ଥା, ଶେଷ ହେଉନାହିଁ ଚାଷୀଙ୍କ ସମସ୍ୟା। ଗୋଟିଏ ପଟେ କାଳବୈଶାଖୀର ତାଣ୍ଡବ ଓ ଅନ୍ୟପଟେ ମୌସୁମୀ ଆଗମନର ଭୟ ଚାଷୀଙ୍କ ଚିନ୍ତାକୁ ଦ୍ଵିଗୁଣିତ କରିଦେଇଥିବା ବେଳେ, ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଆଜି ଚାଷୀକୂଳ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରଶାସନର ଉଦାସୀନତା ଓ ଅଣଦେଖା ମନୋଭାବ ଯୋଗୁଁ ଅସହାୟ ଚାଷୀ ଆଜି ସକାଳ ୯ଟା ସମୟରେ ଜୁନାଗଡ଼ ସହର ଦେଇ ଯାଇଥିବା ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ-୨୬କୁ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି। ସ୍ଥାନୀୟ ଲଙ୍କେଶ୍ଵରୀ ମନ୍ଦିର ସମ୍ମୁଖରେ ଶତାଧିକ ଚାଷୀ ରାସ୍ତା ଉପରେ ବସି ରହିବାରୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାଜ୍ୟ ସରକାର ଦୁଇ ବର୍ଷ ପୂର୍ତ୍ତିର ମହାଉତ୍ସବ ପାଳନ କରୁଥିବା ବେଳେ ଲୋକପ୍ରତିନିଧିମାନେ ନିଦ୍ରାରେ ଅଛନ୍ତି ଏବଂ ଜିଲ୍ଲା ପ୍ରଶାସନ କେବଳ ନିରବ ଦ୍ରଷ୍ଟା ସାଜିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ସୁଯୋଗରେ ମିଲର୍ସ ଏବଂ ଏଜେଣ୍ଟମାନେ ଚାଷୀଙ୍କୁ ଶୋଷଣ କରିବା ପାଇଁ ମୌକା ଖୋଜୁଛନ୍ତି। ମଣ୍ଡିରେ ଧାନ ରଖିବା ପାଇଁ ସ୍ଥାନର ଅଭାବ ଦେଖାଦେଇଛି। ପୂର୍ବରୁ ଆସିଥିବା ଧାନ ଉଠୁ ନଥିବାରୁ ଅନ୍ୟ ଚାଷୀମାନେ ନିଜ ଧାନ ଆଣି ରଖିବା ସମ୍ଭବ ହେଉନାହିଁ। ଫଳରେ ବାଧ୍ୟ ହୋଇ ଚାଷୀ ନିଜର ରକ୍ତଭିଜା କଷ୍ଟଉପାର୍ଜିତ ଧାନକୁ ଖୋଲା ଆକାଶ ତଳେ, ଖଳା ଏବଂ ରାସ୍ତା କଡ଼ରେ ରଖିଛନ୍ତି, ଯାହା ବର୍ଷା ପାଣିରେ ଭିଜି ନଷ୍ଟ ହେବାକୁ ବସିଲାଣି। ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କେହି ଆମ କଥା ଶୁଣିଲେ ନାହିଁ। ଯେପର୍ଯ୍ୟନ୍ତ ମଣ୍ଡିରୁ ପ୍ରତିଟି ଧାନ ବସ୍ତା ନଉଠିଛି ଏବଂ ସମସ୍ୟାର ସ୍ଥାୟୀ ସମାଧାନ ନହୋଇଛି, ଆମେ ରାସ୍ତାରୁ ହଟିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏହି ଚକାଜାମ୍ ଯୋଗୁଁ ରାସ୍ତାର ଦୁଇ ପାର୍ଶ୍ୱରେ ଶତାଧିକ ମାଲବାହୀ ଓ ଯାତ୍ରୀବାହୀ ଯାନ ଅଟକି ରହିଛି। ଖବର ଲେଖାହେବା ସୁଦ୍ଧା ଘଟଣାସ୍ଥଳରେ କୌଣସି ବରିଷ୍ଠ ଅଧିକାରୀ ପହଞ୍ଚି ନଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି।

