ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : ଓଡ଼ିଶାର ଗଣପର୍ବ ରଜ କେବଳ ଉପକୂଳ କିମ୍ବା ସହରାଞ୍ଚଳରେ ସୀମିତ ନ ରହି ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ପାହାଡ଼ିଆ ଓ ଦୁର୍ଗମ ଗ୍ରାମରେ ଚଳିତ ବର୍ଷ ରଜ ପର୍ବ ଧୁମଧାମ ଓ ଉତ୍ସାହର ସହ ପାଳନ କରାଯାଉଛି। ପହିଲି ରଜ ଅବସରରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିବା ବେଳେ ଗାଁ ଗାଁରେ ଦୋଳି, ଗୀତ, ନୃତ୍ୟ ଓ ସାମୂହିକ ଆନନ୍ଦର ପରିବେଶ ଦେଖିବାକୁ ମିଳିଛି। ଏକଦା ଆଦିବାସୀ ଅଞ୍ଚଳରେ ରଜ ପର୍ବ ପାଳନର ପରମ୍ପରା ସେତେଟା ପ୍ରଚଳିତ ନ ଥିଲେ ମଧ୍ୟ ଗତ କିଛି ବର୍ଷ ଧରି ଏହି ପର୍ବ ଲୋକପ୍ରିୟତା ହାସଲ କରିଛି। ବିଶେଷ କରି ଯୁବପିଢ଼ି ଓ ମହିଳାମାନଙ୍କ ମଧ୍ୟରେ ରଜ ପର୍ବକୁ ନେଇ ବେଶ୍ ଉତ୍ସାହ ଦେଖାଯାଉଛି। ଆଦିବାସୀ ସଂସ୍କୃତିର ସ୍ୱକୀୟତା ମଧ୍ୟରେ ଓଡ଼ିଆ ଲୋକପରମ୍ପରାର ଏହି ମିଶ୍ରଣ ଏକ ନୂତନ ସାଂସ୍କୃତିକ ସେତୁବନ୍ଧନ ସୃଷ୍ଟି କରିଛି। ପହିଲି ରଜ ଅବସରରେ ବ୍ଲକର ବିଭିନ୍ନ ସ୍ଥାନରେ ଦୋଳି ବନ୍ଧାଯାଇଥିବା ବେଳେ ଯୁବତୀ ଓ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି ରଜର ଆନନ୍ଦ ଉପଭୋଗ କରିଥିଲେ। ଘରେ ଘରେ ପୋଡ଼ ପିଠା, ମଣ୍ଡା ଓ ଅନ୍ୟାନ୍ୟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ଶିଶୁ ଓ ଯୁବବର୍ଗ ଦୋଳି ଖେଳିବା ସହ ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ରବିବାର ଗୋପାଳପୁର ପଞ୍ଚାୟତର ଲୋହରାଯୋର୍ ଠାରେ ପାଳନ ହେଉଥିବା ପହିଲି ରଜ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୋଳି ଝୁଲିଥିଲେ। ଏଥିସହିତ ରାଜ୍ୟ ସ୍ତରୀୟ କଳାକ୍ଷେତ୍ର ଓଡିଶା ପକ୍ଷରୁ ଜିଲ୍ଲା ସଂଯୋଜକ କରୁଣାକର ଦାସ,ଜିଲ୍ଲା ମୁଖ୍ୟ ଉପଦେଷ୍ଟା ଡଃ ଅଜୟ ମିଶ୍ର,ଜିଲ୍ଲା ସହ ସଂଯୋଜକ ଅଜିତ କୁମାର ଦୁର୍ଗା, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ତାଙ୍କର ଏହି ଅଂଶଗ୍ରହଣ ଉପସ୍ଥିତ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା। ଜନପ୍ରତିନିଧିଙ୍କ ଏଭଳି ଲୋକପର୍ବରେ ସାମିଲ ହେବା ସାଧାରଣ ଲୋକଙ୍କ ସହ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରୁଥିବା ମତ ପ୍ରକାଶ ପାଇଛି। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ, ରଜ ପର୍ବ କେବଳ ଏକ ଉତ୍ସବ ନୁହେଁ ବରଂ ସାମାଜିକ ସମ୍ପ୍ରୀତି, ସାଂସ୍କୃତିକ ଆଦାନ-ପ୍ରଦାନ ଓ ପରମ୍ପରାର ସଂରକ୍ଷଣର ଏକ ମାଧ୍ୟମ। ଆଦିବାସୀ ଅଞ୍ଚଳରେ ଏହାର ବଢୁଥିବା ଲୋକପ୍ରିୟତା ଏକ ନୂତନ ସାମାଜିକ ପରମ୍ପରାର ସୂଚନା ଦେଉଛି। ଆଧୁନିକତାର ପ୍ରଭାବ ମଧ୍ୟରେ ମଧ୍ୟ ଲୋକେ ନିଜ ସଂସ୍କୃତି ଓ ଉତ୍ସବକୁ ଜୀବନ୍ତ ରଖିବା ପାଇଁ ଯେଭଳି ଉଦ୍ୟମ କରୁଛନ୍ତି, ରଜ ପର୍ବର ଏହି ଆୟୋଜନ ତାହାର ଏକ ଉଜ୍ଜ୍ୱଳ ଉଦାହରଣ। ଥୁଆମୂଳ ରାମପୁରର ପାହାଡ଼, ଜଙ୍ଗଲ ଓ ଦୁର୍ଗମ ଗ୍ରାମଗୁଡ଼ିକରେ ରଜ ପର୍ବର ଏହି ଉତ୍ସାହ ପ୍ରମାଣ କରୁଛି ଯେ ସଂସ୍କୃତିର କୌଣସି ଭୌଗୋଳିକ ସୀମା ନାହିଁ। ଲୋକଙ୍କ ଅଂଶଗ୍ରହଣ ଓ ସାମୂହିକ ଉତ୍ସବ ମାଧ୍ୟମରେ ରଜ ଏବେ ଆଦିବାସୀ ଅଞ୍ଚଳର ଜନଜୀବନର ଏକ ଅବିଚ୍ଛିନ୍ନ ଅଂଶରେ ପରିଣତ ହେଉଛି।

