ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର : ସୋସିଆଲ ମେଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗତ ୧୧ ଜୁନରେ ଏନ୍ଇଇଟି ଓ ୟୁଜିସି ପେପର ଲିକ୍ ପ୍ରତିବାଦରେ ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଏହି ଆନ୍ଦୋଳନର ଭିଡିଓ ଫେସବୁକରେ ପୋଷ୍ଟ ହେବା ପରେ, ଟିଟିଲାଗଡ଼ ପଥର୍ଲା ଅଞ୍ଚଳର ସୀତାରାମ ରଣା ନାମକ ଜଣେ ବ୍ୟକ୍ତି ଦଳ ଓ ଏହାର ସଦସ୍ୟଙ୍କୁ ଆକ୍ଷେପ କରି ଅଶ୍ଳୀଳ କମେଣ୍ଟ ଦେଇଥିଲେ। ଏହାକୁ ବିରୋଧ କରି ଆପ୍ ନେତା ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଏକ ଟିମ୍ ସାଇବର ପୋଲିସ ଓ ଟାଉନ ଥାନାରେ ଏଫ୍ଆଇଆର୍ ଦାୟର କରିଥିଲେ। ଟାଉନ ଥାନା ଆଇଆଇସି ଅବନୀ ସାହୁଙ୍କ ତତ୍ପରତା ପ୍ରକାଶ କରି ମାତ୍ର ୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଟ୍ରେସ୍ କରି ଗିରଫ କରିଥିଲେ। ପରେ ଅଭିଯୁକ୍ତ ସୀତାରାମ ନିଜ ଭୁଲ୍ ସ୍ୱୀକାର କରି ଲିଖିତ ଏବଂ ଭିଡିଓ ବାର୍ତ୍ତା ମାଧ୍ୟମରେ ଦଳର ସମସ୍ତ ସଦସ୍ୟଙ୍କୁ କ୍ଷମା ମାଗିଛି। ସୋସିଆଲ ମେଡିଆରେ ଏଭଳି ଅଭଦ୍ରାମି କଲେ ଆଗକୁ ମଧ୍ୟ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀପାଣ୍ଡେ ଚେତାବନୀ ଦେଇଛନ୍ତି।

