ଭବାନୀପାଟଣାରେ ମେଡିକାଲ କଲେଜ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଉଦେପୁର – ଗୋପୀନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ଜଣେ ମେଡିକାଲ କଲେଜ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଭବାନୀପାଟଣା ସ୍ଥିତ ସହିଦ ରେଣ୍ଡୋମାଝୀ ମେଡିକାଲ କଲେଜର କର୍ମଚାରୀ ଶଶାଙ୍କ ଶେଖର ହୋତା ବୋଲି ପରିଚୟ ମିଳିଛି। ତାଙ୍କ ବୟସ ପ୍ରାୟ ୨୬ ବର୍ଷ ହୋଇଥିବା ବେଳେ ସେ’ ଗଞ୍ଜାମ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି।ସେହି ନୋଟ୍‌ରେ ଶଶାଙ୍କ ଅନଲାଇନ୍ ଗେମ୍‌ରେ ଆସକ୍ତ ଥିବା, ବିଭିନ୍ନ ଲୋକଙ୍କଠାରୁ ଧାର କରିଥିବା ସହ ବ୍ୟାଙ୍କ ଋଣର ଚାପରେ ଥିବା କଥା ଉଲ୍ଲେଖ କରିଥିବା ଜଣାପଡ଼ିଛି। ସେ ତାଙ୍କ ପରିବାରକୁ କେହି ହଇରାଣ କରିବେ ନାହିଁ ବୋଲି ମଧ୍ୟ ଲେଖିଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଅନଲାଇନ୍ ଗେମ୍ ଓ ଋଣ ଚାପ ଯୋଗୁଁ ସେ ମାନସିକ ଭାବେ ଅସ୍ଥିର ହୋଇ ଏଭଳି ପଦକ୍ଷେପ ନେଇଥିବା ପୋଲିସ ଅନୁମାନ କରୁଛି। ପୋଲିସ ମୃତଦେହକୁ ଜବତ କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *