ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : କାମ କଲେ ଜଣେ, କିନ୍ତୁ ଲୋକଙ୍କ ନଜରରେ ନିଜର ବାହାବା ନେଲେ ଅନ୍ୟ ଜଣେ। ଏମିତି ଏକ ରୋଚକ ତଥା ଚର୍ଚ୍ଚିତ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଅଞ୍ଚଳରେ। ବିଜେପି ନେତା ଲୋକଙ୍କ ସମସ୍ୟା ବୁଝି କାମ କଲେ, ହେଲେ ଶେଷରେ କଂଗ୍ରେସ ଦଳର ନେତ୍ରୀ ସେହି କାମ ପାଖରେ ଫଟୋ ଉଠାଇ ସମସ୍ତ ଶ୍ରେୟ ନେଇଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଅଧିନ ବଣ୍ଡକାଗୁଡାର ଜାନୀସାହି ଓ ଦଲିତସାହିରେ ମୋଟ ୮୦ ପରିବାରର ୪ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ଉଭୟ ସାହିରେ ମାତ୍ର ୨ଟି ନଳକୂଅ ରହିଥିଲା। ବିଶେଷକରି ୩୦ ପରିବାର ରହୁଥିବା ଦଳିତସାହିରେ ଆବଶ୍ୟକ ଅନୁଯାୟୀ ନଳକୂପ ନଥିବାରୁ ଲୋକେ ବର୍ଷ ବର୍ଷ ଧରି ପାନୀୟଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏହି ସମସ୍ୟା ବାବଦରେ ଜାଣିବା ପରେ ବିଜେପି ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ବିଷୋୟୀ ଓ ଅନ୍ୟ ନେତାମାନେ ଗାଁକୁ ଯାଇ କିଛି ଦିନ ଭିତରେ ନୂତନ ନଳକୂପ ଖନନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କେବଳ ସେତିକି ନୁହେଁ, ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଡାକି ତାଙ୍କ ଉପସ୍ଥିତିରେ ନଳକୂପ ଖନନ ପାଇଁ ଜାଗା ମଧ୍ୟ ଚିହ୍ନଟ କରାଇଥିଲେ। ସେହି ଅନୁଯାୟୀ ଗତ ରବିବାର ଦିନ ସେଠାରେ ଏକ ନୂତନ ନଳକୂପ ଖନନ କରାଯାଇଥିଲା। ତେବେ ଅସଲ ବିବାଦ ଆରମ୍ଭ ହେଲା ନଳକୂପ ଖୋଳା ସରିବା ପରେ। ବିଜେପି ମଣ୍ଡଳ ସଭାପତିଙ୍କ ଅଭିଯୋଗ ଅନୁଯାୟୀ ନଳକୂପ ଖନନ ସରିବା ମାତ୍ରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ତଥା କଂଗ୍ରେସ ଜିଲ୍ଲା ସଭାନେତ୍ରୀ ସେଠାକୁ ଯାଇ ଫଟୋ ଉଠାଇଥିଲେ ଏବଂ ତାହାକୁ ଖବରକାଗଜରେ ପ୍ରକାଶ କରି ନିଜର ବାହାବା ନେଉଛନ୍ତି। କଂଗ୍ରେସ ଏଭଳି ଲୋକହସା କାମ କରିବା ଓ ଲୋକଙ୍କୁ ଭ୍ରମିତ କରିବାରେ ମାହିର। ବିଜେପି ସରକାର ସିଧାସଳଖ ଲୋକଙ୍କ ପାଖକୁ ଯାଇ କାମ କରୁଛି ଏବଂ ବିଜେପିର ଏହି ବିକାଶକୁ ବିରୋଧୀମାନେ ସହ୍ୟ କରିପାରୁନାହାନ୍ତି ବୋଲି ବିଜେପି ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ବିଷୋୟୀ କହିଛନ୍ତି। ଅପରପକ୍ଷରେ, ବିଜେପିର ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି କଂଗ୍ରେସ ନେତ୍ରୀ। ଏନେଇ ତାଙ୍କ ମତାମତ ନେବାରୁ ସେ ସଫେଇ ଦେଇଛନ୍ତି ଯେ ବିଜେପି କେବଳ ରାଜନୀତି କରୁଛି, ସେମାନଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କାମ କିଏ କଲା ଆଉ ଶ୍ରେୟ କିଏ ନେଲା, ତାହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ମଧ୍ୟ ଭିନ୍ନ ଭିନ୍ନ ଆଲୋଚନା ପ୍ରକାଶ ପାଇଛି।

