ଉଦେଶୃଙ୍ଗ ଗ୍ରାମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ସାବତ ମା’ ଓ କାକାଙ୍କ ବିରୋଧରେ ହତ୍ୟା ଅଭିଯୋଗ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର (ବ୍ରହ୍ମା ପ୍ରସାଦ କାଣ୍ଡ) : ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ପ୍ରକାଶ ପାଇଛି। ମୃତ ଯୁବକ ଜଣକ ହେଲେ ଚମିତ ଅଘ୍ରିଆଙ୍କ ପୁଅ ମହେନ୍ଦ୍ର ଅଘ୍ରିଆ। ଏହି ଘଟଣାରେ ସାବତ ମା’ ଓ କାକାଙ୍କ ବିରୋଧରେ ସଙ୍ଗିନ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା’ କୁନ୍ତଳା ଅଘ୍ରିଆ। ଅଭିଯୋଗ ପରେ ଗୋଲାମୁଣ୍ଡା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରେ ଶବର ବ୍ୟବଚ୍ଛେଦ ପାଇଁ ଏହାକୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ପୋଲିସ ପକ୍ଷରୁ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ମୃତକଙ୍କ ମା’ କୁନ୍ତଳା ଅଘ୍ରିଆ ଏହା ଏକ ସ୍ଵାଭାବିକ ମୃତ୍ୟୁ ନୁହେଁ ବରଂ ଯୋଜନାବଦ୍ଧ ହତ୍ୟା ବୋଲି ଦାବି କରିଛନ୍ତି। ସେ ଗୋଲାମୁଣ୍ଡା ଥାନାରେ ଲିଖିତ ଏତଲା ଦେଇ ସାବତ ମା’ ସୁମୁଖି ଅଘ୍ରିଆ ଏବଂ କାକା ଚୁଡ଼ାମଣି ଅଘ୍ରିଆଙ୍କ ନାମରେ ପୁଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ପୋଲିସ ଅଭିଯୋଗକୁ ଆଧାର କରି ମାମଲାର ସମସ୍ତ ଦିଗରୁ ଗଭୀର ଛାନଭିନ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ଏବଂ ପୋଲିସ ତଦନ୍ତ ସରିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଗୋଲାମୁଣ୍ଡା ଥାନାଧିକାରୀ ଯଶୋବନ୍ତ ସେଲମା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *