କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲାରେ ଗତ ମେ ମାସ ୨୦ ତାରିଖରୁ ସରକାରୀ ସ୍ତରରେ ଧାନ ମଣ୍ଡି ଖୋଲିଥିଲେ ମଧ୍ୟ ସଠିକ୍ ଭାବେ ଧାନ ଉଠାଣ ନହେବା ଚାଷୀଙ୍କ ପାଇଁ କାଳ ସାଜିଛି। ପ୍ରତିଦିନ ଜିଲ୍ଲାର କେଉଁଠି ନା କେଉଁଠି ଚାଷୀ ମଣ୍ଡି ସମ୍ମୁଖରେ ଧାରଣା ଦେଉଛନ୍ତି ତ, କେତେବେଳେ ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଏଭଳି ସ୍ଥିତିରେ କୋକସରା ବ୍ଲକର ପ୍ରମୁଖ ମୋଟେର ଓ କାଶୀବାହାଲ ଧାନ ମଣ୍ଡିରେ ମନ୍ଥର ଧାନ ଉଠାଣ ଯୋଗୁଁ ଚାଷୀଙ୍କ ମୁଣ୍ଡବିନ୍ଧା ଅସହ୍ୟ ସ୍ତରକୁ ଚାଲିଗଲାଣି। ଗୋଟିଏ ପଟେ ଆକାଶରୁ ନିଆଁ ବର୍ଷୁଥିବା ବେଳେ ଅନ୍ୟପଟେ କାଳବୈଶାଖୀର ଆଶଙ୍କା। ଏହି ଦୁଇ ସଙ୍କଟ ମଧ୍ୟରେ ପେସି ହୋଇ ଚାଷୀ ନିଜ ରକ୍ତଝାଳ ବୁହା ଧାନକୁ ଜଗି ବସିଛି। ସରକାରୀ ଉତ୍ସବର ଚମକ ଭିତରେ ଅନ୍ନଦାତାର ଲୁହ ପ୍ରଶାସନକୁ ଦେଖାଯାଉନାହିଁ ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ମୋଟରେ ଧାନ ମଣ୍ଡିରେ ଧାନ ବିକ୍ରି ନିମନ୍ତେ ସମୁଦାୟ ୮୦୯ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଏବଂ ୯ ଗୋଟି ମିଲର୍ସ ଟ୍ୟାଗ ହୋଇଥିବା ବେଳେ ବର୍ତମାନ ୩୭, ୫୦୦ କ୍ୟୁଣ୍ଟାଲ ଟାର୍ଗେଟ ରହିଛି। ସେଥିମଧ୍ୟରୁ ୩୧୫ ଜଣ ଚାଷୀଙ୍କ ଠାରୁ ଆଜି ସୁଦ୍ଧା ୧୯. ୬୮୩ କ୍ୟୁ ଧାନ କ୍ରୟ କରାଯାଇଥିବା ପ୍ୟାକ୍ସ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ମଣ୍ଡିରେ ବର୍ତ୍ତମାନ ୧୦ ହଜାରରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ପଡ଼ି ଥିବାବେଳେ ଏହି ମଣ୍ଡି ଏବେ ଧାନ ବସ୍ତାରେ ପୋତି ହୋଇପଡ଼ିଛି। ମଣ୍ଡି ଭିତରେ ପାଦ ମାଡ଼ିବା ପାଇଁ ଜାଗାଟିଏ ନାହିଁ। ଯଦି ଅଳ୍ପ ଦିନ ଭିତରେ ଧାନ ଉଠାଣ ନହୁଏ, ତେବେ ଚାଷୀଙ୍କ କଷ୍ଟଲବ୍ଧ ‘ଟୋକନ ଲେପ୍ସ’ (ଅବଧି ଶେଷ) ହେବା ଏକ ପ୍ରକାର ଥୟ। ଏପଟେ କାଶୀବାହାଲ ଧାନ ମଣ୍ଡିରେ ମଧ୍ୟ ପ୍ରଶାସନିକ ଅବହେଳାର ସମାନ ଚିତ୍ର ଦେଖିବାକୁ ମିଳିଛି। ମନ୍ଥର ଗତିରେ ଧାନ ଉଠାଣ ଯୋଗୁଁ ଏଠାରେ ପ୍ରାୟ ୩,୦୦୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଣେ ସ୍ଥାନୀୟ ବିଜେପି ବିଧାୟକ ଜନ ସମ୍ପର୍କ ଯାତ୍ରାରେ ବ୍ୟସ୍ତ ଥିବାବେଳେ ଧାନ ମଣ୍ଡି କୁ ଯିବା କିମ୍ବା ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ସମୟ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏପଟେ ଜିଲ୍ଲା ପ୍ରଶାସନ ମଧ୍ୟ ସବୁ ଦେଖି ମଧ୍ୟ ନିରବ ଦ୍ରଷ୍ଟା ସାଜିଛି। ପ୍ରଶାସନର ଏହି ଢିଲାପଣର ସୁଯୋଗ ନେଇ ମିଲର୍ସ ଏବଂ ଦଲାଲ, ଏଜେଣ୍ଟମାନେ ଚାଷୀଙ୍କୁ ଶୋଷଣ କରିବା ପାଇଁ ସୁଯୋଗ ଖୋଜୁଛନ୍ତି। ଧାନ ବର୍ଷାରେ ଭିଜିଲେ କିମ୍ବା ଟୋକନ ସମୟ ସରିଲେ, ଚାଷୀ ବାଧ୍ୟ ହୋଇ କମ୍ ଦାମରେ ବେପାରୀଙ୍କୁ ଧାନ ଟେକିଦେବ, ଏହି ଚକ୍ରାନ୍ତ ଏବେ ମଣ୍ଡି ଅଞ୍ଚଳରେ ଚାଲିଛି। ଏପଟେ ପ୍ୟାକ୍ସ ସମ୍ପାଦକ ମାନେ କହିଛନ୍ତି ଯଥା ଶୀଘ୍ର ଧାନ ଉଠାଣ ହୋଇଯିବ ବୋଲି। ତେବେ ଏହି ‘ଖୁବ୍ ଶୀଘ୍ର’ ଆଶ୍ୱାସନା ଭିତରେ କେବେ ଚାଷୀର ଧାନ ଉଠୁଛି ଏବଂ କେବେ ତା’ ଆଖିରୁ ଲୁହ ପୋଛି ହେଉଛି, ତାହା ଦେଖିବାକୁ ବାକି ରହିଲା।

