ଅଜଣା ଗାଡ଼ି ଚଢ଼ିଗଲା, ଚାଲିଗଲା ଭାଲୁର ଜୀବନ!

କୋକସରା/କ୍ରାନ୍ତିକ୍ଷେତ୍ର : ବିଜୁ ଏକ୍ସପ୍ରେସୱେରେ ପୁଣି ଏକ ବନ୍ୟଜନ୍ତୁ ଜୀବନ ହାନିର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କୋକସରା ବ୍ଲକ ସାନପୋଡ଼ାଗୁଡା, ରାଜୀବ କଲୋନୀ ମଧ୍ୟଭାଗରେ ଗତ ବିଳମ୍ବିତ ରାତିରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଏକ ଭାଲୁର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସୋମବାର ସକାଳୁ ସ୍ଥାନୀୟ ଲୋକେ ବିଜୁ ଏକ୍ସପ୍ରେସୱେ କଡ଼ରେ ଏକ ଭାଲୁର ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏତେ ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ଭାଲୁର ମୃତ୍ୟୁ ହୋଇଥିଲା କୁହାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ବେହେରା ସେକ୍ସନ ବନପାଳ ରାଜେନ୍ଦ୍ର ନାଏକ ଓ ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ବନ ବିଭାଗ ସୂଚନା ଅନୁଯାୟୀ, ମୃତ ଭାଲୁର ଶବ ବ୍ୟବଚ୍ଛେଦ ଧର୍ମଗଡ଼ ପଠାଯାଇଥିବା ଜଣାପଡି ଥିବାବେଳେ ରିପୋର୍ଟ ଆସିବା ପରେ ଅଧିକ ସ୍ପଷ୍ଟତା ମିଳିବ। ବିଜୁ ଏକ୍ସପ୍ରେସୱେରେ ଗାଡ଼ି ଗୁଡ଼ିକର ବେପରୁଆ ଗତି ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କୌଣସି ‘ୱାଇଲ୍ଡଲାଇଫ୍ କରିଡର’ କିମ୍ବା ସଙ୍କେତ ବୋର୍ଡ ନଥିବାରୁ ଏଭଳି ଅଘଟଣ ବାରମ୍ବାର ଘଟୁଛି। ଦୁର୍ଘଟଣା ଘଟାଇ ଗାଡ଼ି ଟି ଫେରାର ହୋଇଯାଇଛି। ବର୍ତ୍ତମାନ ବନ ବିଭାଗ ପକ୍ଷରୁ ମାମଲାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *