କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର : ମୃତ୍ୟୁ ପର୍ଯ୍ୟନ୍ତ ମିଲିନି ବେଡ

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ମୁଖ୍ୟ ଚିକିତ୍ସାଳୟର ଏକ ଅଭାବନୀୟ ଦୃଶ୍ୟ ସଭ୍ୟ ସମାଜକୁ ଆନ୍ଦୋଳିତ କରିଛି। ମେଡିକାଲ ବାରଣ୍ଡାରେ ଖଣ୍ଡିଏ ଶଯ୍ୟା ନପାଇ ଶେଷରେ ଏକ ପ୍ଲାଷ୍ଟିକ୍ ଚେୟାର ଉପରେ ବସି ବସି ଜଣେ ଅସହାୟ ରୋଗୀ ଆଖି ବୁଜିଛନ୍ତି। ନାକରେ ଅକ୍ସିଜେନ ପାଇପ୍ ଲାଗିଥିଲା, ପାଖରେ ସିଲିଣ୍ଡର ବି ରହିଥିଲା। ହେଲେ ଜୀବନ ବଞ୍ଚାଇବା ପାଇଁ ଯେଉଁ ସର୍ବନିମ୍ନ ଚିକିତ୍ସା ଭିତ୍ତିଭୂମିର ଆବଶ୍ୟକତା ଥାଏ, ତାହା ଯୋଗାଇବାରେ ବିଫଳ ହୋଇଛି ସ୍ଥାନୀୟ ମେଡିକାଲ ପ୍ରଶାସନ।ଏହି ସମ୍ପୂର୍ଣ୍ଣ ଘଟଣାର ଦୃଶ୍ୟ ସେହି ସମୟରେ ମେଡିକାଲରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ‘ଲାଇଭ୍’ କରିବା ପରେ ଏହା ଆଲୋଡ଼ନ ସୃଷ୍ଟି କରିଛି। ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ, ରୋଗୀ ଜଣକ ଅତ୍ୟନ୍ତ କଷ୍ଟଦାୟକ ସ୍ଥିତିରେ ବାରଣ୍ଡା ଚେୟାରରେ ଢଳି ପଡ଼ିଛନ୍ତି। ଅକ୍ସିଜେନ ସେବା ଉପଲବ୍ଧ ଥିଲେ ମଧ୍ୟ କେବଳ ଖଣ୍ଡିଏ ବେଡ୍‌ ଅଭାବରୁ ଜଣେ ବ୍ୟକ୍ତିଙ୍କୁ ଏଭଳି ଭାବେ ପ୍ରାଣ ହରାଇବାକୁ ପଡ଼ିବା ଜିଲ୍ଲାର ପ୍ରଦତ୍ତ ସ୍ୱାସ୍ଥ୍ୟ ସେବା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଗୁରୁତର ଅସୁସ୍ଥ ଥିବା ଏହି ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ସାମୟିକ ଭାବେ ଅକ୍ସିଜେନ ସିଲିଣ୍ଡର ସଂଯୋଗ କରାଯାଇଥିଲା।ମାତ୍ର ତାଙ୍କୁ ତୁରନ୍ତ ୱାର୍ଡ ଭିତରକୁ ନେଇ ବେଡ୍‌ ଯୋଗାଇ ଦେବା ପାଇଁ କେହି ନଥିଲେ। ବାରଣ୍ଡାରେ ଅପେକ୍ଷା କରି କରି ଏବଂ ଶେଷ ସମୟ ପର୍ଯ୍ୟନ୍ତ ବେଡ୍‌ଟିଏ ନମିଳିବା କାରଣରୁ ରୋଗୀ ଜଣକ ଚେୟାର ଉପରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜିଲ୍ଲାର ସର୍ବୋଚ୍ଚ ଚିକିତ୍ସାଳୟରେ ଯଦି ଜଣେ ରୋଗୀର ଏଭଳି ଅବସ୍ଥା ହେଉଛି, ତେବେ ଗ୍ରାମାଞ୍ଚଳର ସ୍ଥିତି କେଉଁଭଳି ଥିବ, ତାହା ସହଜେ ଅନୁମେୟ। ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ଦାୟୀ କିଏ ଏବଂ କେଉଁ ପରିସ୍ଥିତିରେ ରୋଗୀଙ୍କୁ ବେଡ୍ ମିଳିଲାନି, ସେ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *