ଯୋଗାଣ ସହାୟକ ସଂଘର ସ୍ଥାୟୀ ନିଯୁକ୍ତି ନ ହେଲେ ସମୂହ ଚ୍ଛୁଟି

ଭୁବନେଶ୍ୱର/କ୍ରନ୍ତିକ୍ଷେତ୍ର : ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ଭୁବନେଶ୍ୱରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୧୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପ୍ରତି ଅଣଦେଖା କରୁଥିବାରୁ ସଂଘ ପକ୍ଷରୁ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୧୦, ୨୦୨୬ ସୁଦ୍ଧା ଯଦି ଚାକିରି ସ୍ଥାୟୀକରଣ ନହୁଏ, ତେବେ ରାଜ୍ୟର ସମସ୍ତ ଯୋଗାଣ ସହାୟକ ସାମୂହିକ ଛୁଟିରେ ଯାଇ ଗଣତାନ୍ତ୍ରିକ ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ଯେ, ସେମାନେ ସମସ୍ତେ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ। ବିଗତ ୧୪ ବର୍ଷ ହେବ ପଞ୍ଚାୟତ ସ୍ତରରେ ପିଡିଏସ୍ ମାଧ୍ୟମରେ ରାସନ ସାମଗ୍ରୀ ବଣ୍ଟନ, ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ, ନିର୍ବାଚନ କାର୍ଯ୍ୟ, କୋଭିଡ-୧୯ ମହାମାରୀ ସମୟରେ ଜନସେବା ଏବଂ ବର୍ତ୍ତମାନ ଚାଲିଥିବା ଇ-କେୱାଇସି ଭଳି ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନ କରିଆସୁଛନ୍ତି। ଏତେ ଅଭିଜ୍ଞତା ଓ ପରିଶ୍ରମ ସତ୍ତ୍ୱେ ଆମ୍ଭମାନଙ୍କୁ ମାସିକ ମାତ୍ର ୮,୦୦୦/- ଟଙ୍କା ପାରିଶ୍ରମିକ ମିଳୁଛି। ବର୍ତ୍ତମାନର ଦ୍ରବ୍ୟମୂଲ୍ୟ ବୃଦ୍ଧି ସମୟରେ ଏହି ସ୍ୱଳ୍ପ ଟଙ୍କାରେ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି।ପୂର୍ବରୁ ଗ୍ରାମ ରୋଜଗାର ସେବକ ମାନଙ୍କୁ ସ୍ଥାୟୀକରଣ କରାଯାଇ ଏଡିଇଓ ପଦବୀ ପ୍ରଦାନ କରାଯାଇଥିବା ବେଳେ, ଯୋଗାଣ ସହାୟକଙ୍କ ପ୍ରତି ମଧ୍ୟ ସମାନ ବିଚାର କରାଯାଉ। ସଂଘ ସରକାରଙ୍କ ନୂତନ ସିଏମୱାଇ ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ସଫଳ ରୂପାୟନ ପାଇଁ ସଦା ପ୍ରସ୍ତୁତ ରହିଛି। ଯଦି ୧୦ ଜୁଲାଇ ୨୦୨୬ ସୁଦ୍ଧା ଚାକିରି ସ୍ଥାୟୀକରଣ ନେଇ ସକାରାତ୍ମକ ପଦକ୍ଷେପ ନିଆନଯାଏ, ତେବେ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯିବ। ଶେଷରେ, ସଂଘ ପକ୍ଷରୁ ସରକାରଙ୍କୁ ସେମାନଙ୍କର ଏହି ନ୍ୟାୟସଙ୍ଗତ ଦାବିକୁ ସହାନୁଭୂତିର ସହିତ ବିଚାର କରି ଯଥାଶୀଘ୍ର ଏକ ନିଷ୍ପତ୍ତି ନେବାକୁ ବିନମ୍ର ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *