କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ପ୍ରଶାସନ ଶୁଣିଲାନି କି ଦେଖିଲାନି, ଶେଷରେ ନିଜ ଗାଁର ସମ୍ପତ୍ତିକୁ ବଞ୍ଚାଇବା ପାଇଁ ଆଗେଇ ଆସିଲେ ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅଧୀନସ୍ଥ ଲଇତରା ପଞ୍ଚାୟତର ମଶାଣିମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ପ୍ରେରଣାଦାୟୀ ଚିତ୍ର। ପ୍ରଶାସନର ପ୍ରତାରଣା ପରେ, ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଦୀର୍ଘ ୨୦ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ‘କୁଆମୁଣ୍ଡା ପୋଖରୀ’ର କାୟାକଳ୍ପ ବଦଳିଛି। ଗ୍ରାମବାସୀଙ୍କ ଏହି ସ୍ଵାବଲମ୍ବୀ ପ୍ରୟାସ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମଶାଣିମୁଣ୍ଡା ଗ୍ରାମର ଅନେକ ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି କୁଆମୁଣ୍ଡା ପୋଖରୀ ଉପରେ ନିର୍ଭର କରିଥାନ୍ତି। ଗ୍ରାମର ଦୈନନ୍ଦିନ ନିତ୍ୟକର୍ମ ସହିତ ପଶୁପାଳନ ଓ କୃଷି କାର୍ଯ୍ୟ ପାଇଁ ଏହି ପୋଖରୀର ଗୁରୁତ୍ୱ ଅପରିସୀମ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ବିଗତ ୨୦ ବର୍ଷ ହେବ ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇ ନଥିଲା। ଫଳରେ ଜଙ୍ଗଲି ଘାସ, ଆବର୍ଜନା ଓ ପଙ୍କରେ ପୋଖରୀଟି ପୋତି ହୋଇ ନିଜର ଅସ୍ତିତ୍ବ ହରାଇବାକୁ ବସିଥିଲା ଏବଂ ପାଣି ସମ୍ପୂର୍ଣ୍ଣ ଅସନା ହୋଇ ପଡ଼ିଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ସମସ୍ୟାର ସମାଧାନ ପାଇଁ ସେମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଏକାଧିକ ଥର ଦୌଡ଼ି ଦୌଡ଼ି ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପ୍ରଶାସନର ଏଭଳି ଦାୟିତ୍ୱହୀନ ମନୋଭାବରେ ଅସନ୍ତୋଷ ପ୍ରକାଶ କରି ଶେଷରେ ଗ୍ରାମବାସୀ ନିଜେ ସମସ୍ୟାର ସମାଧାନ କରିବାକୁ ଅଣ୍ଟା ଭିଡ଼ିଥିଲେ। ଆଜି ସକାଳୁ ଗ୍ରାମର ଯୁବକ, ବୃଦ୍ଧ ଓ ମହିଳାମାନେ ହାତରେ କୋଦାଳ, ଶାବଳ ଧରି ପୋଖରୀ ହୁଡ଼ାରେ ଏକତ୍ରିତ ହୋଇଥିଲେ। ଆରମ୍ଭ ହୋଇଥିଲା ଶ୍ରମଦାନ। ସମସ୍ତଙ୍କ ମିଳିତ ଝାଳବୁହା ପରିଶ୍ରମ ବଳରେ ପୋଖରୀ ଭିତରୁ ଜଙ୍ଗଲି ଘାସ, ପଙ୍କ ଏବଂ ସମସ୍ତ ଆବର୍ଜନାକୁ ସଫା କରାଯାଇଛି। ଗ୍ରାମବାସୀ ପ୍ରକାଶ କରିଛନ୍ତି ଯେ, ପ୍ରଶାସନ ଧ୍ୟାନ ନ ଦେବାରୁ ସେମାନେ ବାଧ୍ୟ ହୋଇ ପ୍ରତିବର୍ଷ ନିଜ ଉଦ୍ୟମରେ ପୋଖରୀ ସଫା କରିଆସୁଛନ୍ତି। ଆଗାମୀ ଦିନରେ ବ୍ଲକ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରୁ ଜାଗ୍ରତ ହୋଇ ଏହି ପୋଖରୀର ସ୍ଥାୟୀ ସଂସ୍କାର ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।

