ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ:ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ ବୁଧବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ‘ଜାତି-ଜନଜାତି ସମ୍ବାଦ ବୈଠକ’ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରତିନିଧି ପବିତ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏସ୍.ସି. ମୋର୍ଚ୍ଚା ସଭାପତି ବିଷ୍ଣୁ ନାଏକ, ଜିଲ୍ଲା ଏସ୍.ଟି. ମୋର୍ଚ୍ଚା ସଭାପତି ପ୍ରକାଶ ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ଟୁନି ଖୋସ୍ଲା, ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ବିଜେପି ମଣ୍ଡଳ ସଭାପତି ଦୟାନିଧି ଭୋଇ ଓ ପୁଷ୍ପ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶିକ୍ଷା, କଳା, କୃଷି, ନାରୀ ସଶକ୍ତିକରଣ, କ୍ରୀଡା ଓ ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ମୋଟ ୨୩୮ ଜଣ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୧୦୦ ଜଣଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ନୋଡାଲ ଅଧିକାରୀ ତଥା ବ୍ଲକ ମଙ୍ଗଳ ଅଧିକାରୀ ଶୁଭଜିତ ରଞ୍ଜନ ସ୍ୱାଇଁ ଏବଂ ବିପିସି (ଓଏଲ୍ଏମ୍) ପ୍ରତାପ ନାଏକ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ଆବାସ ଯୋଜନା ସଂଯୋଜକ ରାଜେନ୍ଦ୍ର ନାରାୟଣ ଦେବ କରିଥିଲେ। ବୈଠକରେ ଉପସ୍ଥିତ ଅତିଥିମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳତା ଓ ଲୋକହିତକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନେ ଜାତି ଓ ଜନଜାତି ସମୁଦାୟର ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ମତ ପ୍ରକାଶ କରିଥିଲେ। ବୈଠକରେ ବହୁ ସଂଖ୍ୟକ ଜନପ୍ରତିନିଧି, ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା, ଯୁବକ-ଯୁବତୀ ଓ ସାଧାରଣ ଜନତା ଉପସ୍ଥିତ ରହିଥିଲେ।

