ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର (ଯଯାତି କେଶରୀ ବେହେରା) : ସୋମନାଥ ସ୍ୱାଭିମାନ ପର୍ବ-୨୦୨୬ ଅବସରରେ ଓଡିଶାରୁ ଏକ ଭବ୍ୟ ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଛି। ପ୍ରାୟ ୧,୨୦୦ ଜଣ ତୀର୍ଥଯାତ୍ରୀ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟର ପବିତ୍ର ସୋମନାଥ ଧାମ ଅଭିମୁଖେ ଯାତ୍ରା କରୁଛନ୍ତି। କଳଶ ଯାତ୍ରୀ ଡକ୍ଟର ଜଳେନ୍ଦ୍ର ତ୍ରିପାଠୀ ଜାତୀୟ ଗଣମାଧ୍ୟମ ଖବର ସରବରାହ ସଂସ୍ଥା ଏଏନ୍ଆଇ କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଯାତ୍ରାରେ ଓଡିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ସ୍ୱରୂପ ଦୁଇଟି ପବିତ୍ର କଳଶ ନିଆଯାଉଛି। ଗୋଟିଏ କଳଶରେ ବିନ୍ଦୁସାଗରର ପବିତ୍ର ଜଳ ଏବଂ ଅନ୍ୟ କଳଶରେ କେଦାରଗୌରୀ ମନ୍ଦିରର ପବିତ୍ର ମାଟି ରହିଛି। ଏହି ଦୁଇଟି କଳଶକୁ ସୋମନାଥ ଧାମରେ ସମର୍ପଣ କରାଯିବ। ସେ ଆହୁରି କହିଛନ୍ତି ଯେ, ତୀର୍ଥଯାତ୍ରୀମାନଙ୍କ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଉତ୍କୃଷ୍ଟ ବ୍ୟବସ୍ଥା କରାଯାଇଛି। ଯାତ୍ରା ସମୟରେ ଖାଦ୍ୟ, ରହଣି ଓ ଅନ୍ୟାନ୍ୟ ସୁବିଧାର ସୁଚାରୁ ବ୍ୟବସ୍ଥା କରାଯାଇଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି। ଏହି ସ୍ୱାଭିମାନ ଯାତ୍ରା ମାଧ୍ୟମରେ ଓଡିଶା ଓ ସୋମନାଥ ମନ୍ଦିର ମଧ୍ୟରେ ଥିବା ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଯାତ୍ରା ଆୟୋଜିତ ହୋଇଛି। ଏହା ଭକ୍ତି, ପରମ୍ପରା ଓ ଜାତୀୟ ଏକତାର ଏକ ଅନନ୍ୟ ନିଦର୍ଶନ ବୋଲି ମତ ପ୍ରକାଶ ପାଇଛି।

