କୋକସରା/କ୍ରାନ୍ତିକ୍ଷେତ୍ର : କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ ଚାଲିଥିବା ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ଵରୂପ କୋକସରା ବ୍ଲକସ୍ତରୀୟ ଜାତି-ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ହିମାଞ୍ଚଳ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଜେପି ଏସଟି ମୋର୍ଚ୍ଚାର ଜିଲ୍ଲା ସଭାପତି ତ୍ରିନାଥ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଏସସି ମୋର୍ଚ୍ଚା ଜିଲ୍ଲା ଉପସଭାପତି ନିରଞ୍ଜନ ଛତ୍ରିଆ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସାଧାରଣ ଜନତା କିଭଳି ଏହି ସରକାରୀ ଯୋଜନାଗୁଡ଼ିକର ସହଜରେ ଲାଭ ଉଠାଇ ପାରିବେ, ସେ ନେଇ ସେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଅଧ୍ୟକ୍ଷ/ଅଧ୍ୟାପକ, ଶିକ୍ଷକ, ସ୍ଥାନୀୟ ସମାଜସେବୀ ଏବଂ କଳା, ସଂସ୍କୃତି ଆଦି କ୍ଷେତ୍ର ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସେବା ଯୋଗାଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ବ୍ଲକ ପ୍ରଶାସନ ତରଫରୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଭବାନୀଶଙ୍କର ଜେନା ସଚାରୁରୂପେ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାଧାରଣ ଜନତା ଏଥିରେ ସାମିଲ ହୋଇଥିଲେ।

