ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଶୁକ୍ରବାର “ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯୁବପିଢ଼ୀଙ୍କୁ ସ୍ୱାବଲମ୍ବୀ କରିବା ସହ ବିଭିନ୍ନ ସରକାରୀ ଯୋଜନା ଏବଂ ରୋଜଗାରମୂଳକ ସୁଯୋଗ ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରତିନିଧି ପବିତ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଏସ୍ସି ସେଲ୍ ସଭାପତି ବିଷ୍ଣୁ ନାଏକ, ଯୁବ ନେତା ସୁଜାନ ନାଏକ, ପିଣ୍ଟୁ ନାଏକ, ଆଲୋକ ନାଏକ, ବାମନୁ ନାଏକ, ଅଭି ନାଏକ ,ମନୋରଞ୍ଜନ ନାଏକ, ବିଜେପି ନେତ୍ରୀ ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା କିଆମଣୀ ନାଏକ ଏବଂ ବବିତା ନାଏକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବକ୍ତାମାନେ ଯୁବକ ଓ ଯୁବତୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ନେଇ ସ୍ୱାବଲମ୍ବୀ ହେବା ସହ ଉଦ୍ୟମୀ ଭାବେ ଆଗକୁ ବଢ଼ିବା ପାଇଁ ଆହ୍ୱାନ କରିଥିଲେ। ବିଶେଷକରି କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ ଯୋଜନା ଅଧୀନରେ ମିଳୁଥିବା ବିଭିନ୍ନ ସୁବିଧା, ଋଣ ଏବଂ ସ୍ୱରୋଜଗାର ସୁଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଯୁବପିଢ଼ୀ ନିଜ ପାଇଁ ରୋଜଗାର ସୃଷ୍ଟି କରିବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ କର୍ମସଂସ୍ଥାନର ମାର୍ଗ ପ୍ରଶସ୍ତ କରିପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାବେଶରେ ବ୍ଲକ ଆବାସ ଯୋଜନା ସଂଯୋଜକ ରାଜେନ୍ଦ୍ର ନାରାୟଣ ଦେବ ମଞ୍ଚ ପରିଚାଳନା କରିଥିଲେ। ବ୍ଲକ ଯୋଗାଣ ଅଧିକାରୀ ବିଭୁ ରଞ୍ଜନ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭଜିତ ରଞ୍ଜନ ସ୍ୱାଇଁ ଏବଂ ମିଶନ ଶକ୍ତିର ବିପିସି ପ୍ରତାପ ନାଏକ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଯୁବକ-ଯୁବତୀ ଯୋଗଦେଇ ସରକାରୀ ଯୋଜନା ଓ ସ୍ୱରୋଜଗାର ସମ୍ପର୍କିତ ସୂଚନା ଗ୍ରହଣ କରିଥିଲେ।

