ବାଜିବ ଦେବୀ ବାଜା, ନାଚିବେ କାଳିଶୀ : ଆଜି ଭକ୍ତଙ୍କ ଗହଣରେ ଘରକୁ ବାହୁଡ଼ିବେ କାଳିଆ ଠାକୁର

କୋକସରା/କ୍ରାନ୍ତିକ୍ଷେତ୍ର : ବାହୁଡା ଯାତ୍ରା ଆସିଲେ ପୁରୀ ଶ୍ରୀକ୍ଷେତ୍ରର ରଥ, ଭକ୍ତଙ୍କ ଜୟଧ୍ୱନି ଓ ମହାପ୍ରଭୁଙ୍କ ଦର୍ଶନର ଦୃଶ୍ୟ ସମସ୍ତଙ୍କ ମନକୁ ଆସିଥାଏ। ମାତ୍ର କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗୋତମୁଣ୍ଡା ଗ୍ରାମରେ ବାହୁଡା ଯାତ୍ରାର ରୂପ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ରଥର ଦଉଡି ସହ ଯୋଡ଼ି ହୋଇଥାଏ ଶତାବ୍ଦୀ ପୁରୁଣା ଆଦି ସଂସ୍କୃତି। ଦେବାଦେବୀଙ୍କ ଲାଠି, କାଳିଶୀ, କୁର୍ଷି ଓ ଦେବୀ ବାଜାର ତାଳେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଏହି ଉତ୍ସବକୁ ରାଜ୍ୟର ଅନ୍ୟତମ ସ୍ୱତନ୍ତ୍ର ଧାର୍ମିକ ପରମ୍ପରାରେ ପରିଣତ କରିଛି। କୁହାଯାଏ, କଳାହାଣ୍ଡିର ନାଗବଂଶୀ ମହାରାଜା ବ୍ରଜମୋହନ ଦେଓଙ୍କ ଶାସନକାଳ ୧୯୧୮ ମସିହାରୁ ଗୋତମୁଣ୍ଡାରେ ରଥଯାତ୍ରା ପାଳିତ ହୋଇଆସୁଛି। ଜଗନ୍ନାଥ ସଂସ୍କୃତି ଏହି ଅଞ୍ଚଳକୁ ଆସିବା ପୂର୍ବରୁ ଆଦିବାସୀ ସମାଜରେ ଅଭିଚାର ତନ୍ତ୍ର ଓ ଲୋକଦେବତାଙ୍କ ଉପାସନାର ପରମ୍ପରା ରହିଥିଲା। ପରବର୍ତ୍ତୀ ସମୟରେ ବୈଦିକ ଧର୍ମଧାରା ଓ ସ୍ଥାନୀୟ ଲୋକବିଶ୍ୱାସର ସମନ୍ୱୟରେ ଜଗନ୍ନାଥ ସଂସ୍କୃତି ଏହି ମାଟିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ତାହାରି ଜୀବନ୍ତ ନିଦର୍ଶନ ହେଉଛି ଗୋତମୁଣ୍ଡାର ବାହୁଡା ଯାତ୍ରା। ଏହି ପରମ୍ପରା ପଛରେ ରହିଛି ଏକ ରୋଚକ ଇତିହାସ। କିମ୍ବଦନ୍ତୀ ଅନୁସାରେ, ଜଣେ ବୈରାଗୀ ସମ୍ପ୍ରଦାୟର ଜଣେ ବ୍ୟକ୍ତି ବିଗ୍ରହ ଧରି ଗୋତମୁଣ୍ଡାକୁ ଆସିଥିଲେ। ସେତେବେଳେ ଗ୍ରାମର ଗୌନ୍ତିଆ ଅନୁପସ୍ଥିତ ଥିବାରୁ ବିଗ୍ରହ ସ୍ଥାପନ ସମ୍ଭବ ହୋଇନଥିଲା। ପରେ ଗୌନ୍ତିଆଙ୍କ ଆହ୍ୱାନରେ ବୈରାଗୀ ବ୍ୟକ୍ତିଙ୍କୁ ଛତିଶଗଡ ଅଞ୍ଚଳରୁ ଖୋଜି ପୁଣି ଗ୍ରାମକୁ ଅଣାଯାଇଥିଲା। ସେହି ସମୟରେ ଗ୍ରାମରେ ମଣ୍ଡେଇ ଯାତ୍ରା ଚାଲିଥିଲା। ମା’ ସର୍ବମଙ୍ଗଳାଙ୍କ ନିମନ୍ତ୍ରଣ କ୍ରମେ ମଣ୍ଡେଇରେ ସାମିଲ ହୋଇଥିବା ଆଖପାଖ ଗ୍ରାମର ସମସ୍ତ ଦେବାଦେବୀଙ୍କ ଲାଠି, କାଳିଶୀ ଓ ଦେବୀ ବାଜା ସହ ମହାପ୍ରଭୁଙ୍କୁ ସ୍ୱାଗତ କରାଯାଇଥିଲା। ସେହି ଦିନଠାରୁ ବାହୁଡା ଯାତ୍ରା ଦିନ ଦେବାଦେବୀଙ୍କ ଲାଠି ଓ କାଳିଶୀ ରଥ ଟାଣିବାର ଏହି ନିଆରା ପରମ୍ପରା ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି।

ଗୋତମୁଣ୍ଡାରେ ନିଆରା ବାହୁଡ଼ା ଯାତ୍ର

ଆଜି ମଧ୍ୟ ବାହୁଡା ଯାତ୍ରା ଦିନ ଗୋତମୁଣ୍ଡା ସମେତ ଆଖପାଖ ଗ୍ରାମର ଦେବାଦେବୀଙ୍କ ପ୍ରତୀକାତ୍ମକ ଲାଠି, କାଳିଶୀ, କୁର୍ଷି ଓ ପାରମ୍ପରିକ ଦେବୀ ବାଜାର ଧ୍ୱନି ମଧ୍ୟରେ ମହାପ୍ରଭୁଙ୍କ ରଥ ଟଣାଯାଇଥାଏ। ଭକ୍ତି, ଲୋକପରମ୍ପରା ଓ ଆଦି ସଂସ୍କୃତିର ଏଭଳି ଅନନ୍ୟ ସମନ୍ୱୟ ଓଡ଼ିଶାରେ ବିରଳ। ଆଜି ପୁଣି ଥରେ ଗୋତମୁଣ୍ଡାର ମାଟି ସାକ୍ଷୀ ରହିବ ଏକ ଅନନ୍ୟ ପରମ୍ପରାର। ଲାଠି, କାଳିଶୀ ଓ ଦେବୀ ବାଜାର ତାଳେ ବାହୁଡିବେ କାଳିଆ ଠାକୁର, ଆଉ ଭକ୍ତିର ସ୍ରୋତରେ ଭାସିବ ସମଗ୍ର ଅଞ୍ଚଳ। ଶତାବ୍ଦୀରୁ ଶତାବ୍ଦୀ ଧରି ଚାଲିଆସୁଥିବା ଏହି ନିଆରା ପରମ୍ପରାକୁ ଦେଖିବା ପାଇଁ କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ହଜାର ହଜାର ଶ୍ରଦ୍ଧାଳୁ ଗୋତମୁଣ୍ଡାରେ ସମବେତ ହେବେ। ପରମ୍ପରା, ଆସ୍ଥା ଓ ଆଦି ସଂସ୍କୃତିର ଅପୂର୍ବ ସଙ୍ଗମରେ ଏହି ବାହୁଡା ଯାତ୍ରା ପୁଣିଥରେ ପ୍ରମାଣ କରିବ, ଜଗନ୍ନାଥ ସଂସ୍କୃତି କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ବିବିଧତା ମଧ୍ୟରେ ଐକ୍ୟ ଓ ଲୋକବିଶ୍ୱାସର ଏକ ଜୀବନ୍ତ ପ୍ରତୀକ। ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତିରେ ଆୟୋଜିତ ହେଉଥିବା ବାହୁଡା ଯାତ୍ରାକୁ ନେଇ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଆଜି ଲାଠି, କାଳିଶୀ ଓ ଦେବୀ ବାଜାର ତାଳେ ବାହୁଡିବେ କାଳିଆ ଠାକୁର, ଆଉ ଶତାବ୍ଦୀ ପୁରୁଣା ଏହି ଲୋକପରମ୍ପରାର ସାକ୍ଷୀ ହେବେ ଅଗଣିତ ଭକ୍ତ।

Leave a Reply

Your email address will not be published. Required fields are marked *