ବର୍ଷାରେ ଭୁଷୁଡ଼ିଲା ମାଟିଘର କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାର

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : ଲଗାଣ ବର୍ଷାରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ମାଟିଘର ଭୁଷୁଡ଼ିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ଅଳ୍ପକେ ଅଘଟଣରୁ ବର୍ତ୍ତିଛନ୍ତି କିଛି ପରିବାର। ଦୁର୍ବଳ ମାଟିଘରରେ ପଲିଥିନ ଘୋଡ଼ାଇ ରହୁଥିବା ଗରିବ ପରିବାରଙ୍କ ଦୁର୍ଦ୍ଦଶା ଏବେ ପଦାକୁ ଆସିଛି। ଥୁଆମୂଳ ରାମପୁର ସଦର ମହକୁମାର ଟଙ୍କଧର ପୁଝାରୀ ନିଜ ସ୍ତ୍ରୀ ଓ ତିନି ଛୁଆଙ୍କ ସହ ପଲିଥିନ ଘୋଡ଼ାଇଥିବା ଏକ ମାଟିଘରେ ରହୁଥିଲେ। ତେବେ ବର୍ଷା ମଧ୍ୟରେ ଭୋର ପ୍ରାୟ ୫ଟା ସମୟରେ ଘରର ଗୋଟିଏ ପଟ କାନ୍ଥ ହଠାତ୍ ଭୁଷୁଡ଼ି ପଡ଼ିଥିଲା। ଟଙ୍କଧରଙ୍କ କହିବାନୁସାରେ, କାନ୍ଥ ଦୁର୍ବଳ ହୋଇପଡ଼ିଥିବା ଏବଂ ଭୁଷୁଡ଼ିବାର ଆଶଙ୍କା ଥିବା ଅନୁମାନ କରି ସେ ଘରେ ଶୋଇଥିବା ସ୍ତ୍ରୀ ଓ ପିଲାମାନଙ୍କୁ ନିଜ ମାଆଙ୍କ ଘରକୁ ନେଇଯାଇଥିଲେ। ସେମାନେ ଘରୁ ବାହାରିବାର କିଛି ସମୟ ପରେ କାନ୍ଥ ଭୁଷୁଡ଼ି ପଡ଼ିଥିଲା। ଫଳରେ ଏକ ବଡ଼ ଅଘଟଣରୁ ପରିବାର ବର୍ତ୍ତିଯାଇଥିବା କହିଛନ୍ତି ଟଙ୍କଧର। ଟଙ୍କଧରଙ୍କ ଅଭିଯୋଗ ଅନୁଯାୟୀ, ସେ ଆବାସ ଯୋଜନାରେ ଘର ପାଇନାହାନ୍ତି। ଏବେ ଘରର କାନ୍ଥ ଭୁଷୁଡ଼ି ପଡ଼ିବା ପରେ ପରିବାରକୁ ନେଇ ସେ ଅସହାୟ ହୋଇପଡ଼ିଛନ୍ତି। ସେହିପରି ଅଚ୍ୟୁତ ପୁଝାରୀଙ୍କ ପରିବାର ମଧ୍ୟ ସମାନ ଦୁର୍ଦ୍ଦଶାର ଶିକାର ହୋଇଛି। ତାଙ୍କ ପରିବାରର ସଦସ୍ୟଙ୍କ ମଧ୍ୟରେ ବଡ଼ପୁଅ ମୁକୁନ୍ଦ, ବୋହୂ ଝରଣା, ସାନପୁଅ ଅଖଣ୍ଡ ଏବଂ ନାତି ସତ୍ୟବାନ ରହୁଥିବା ପଲିଥିନ ଘୋଡ଼ାଇଥିବା ମାଟିଘରର କାନ୍ଥ ମଧ୍ୟ ଭୁଷୁଡ଼ି ପଡ଼ିଛି। ଆବାସ ଯୋଜନାରେ ଘର ପାଇଁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘରଟିଏ ମିଳିନଥିବା ଅଭିଯୋଗ କରିଛନ୍ତି ମୁକୁନ୍ଦ। ଅନ୍ୟପଟେ ଅଡ୍ରୀ ଗ୍ରାମର ସିଦ୍ଧାନ୍ତ ସାହୁଙ୍କ ଘରର କାନ୍ଥ ମଧ୍ୟ ବର୍ଷାରେ ଭୁଷୁଡ଼ି ପଡ଼ିଥିବା ଜଣାପଡ଼ିଛି। ସ୍ତ୍ରୀ କସ୍ତୁରୀ, ପୁଅ ତ୍ରିନାଥ ଓ ମଦନଙ୍କୁ ନେଇ ତାଙ୍କ ପରିବାର ଏବେ ଅସହାୟ ଅବସ୍ଥାରେ ରହିଛି। ବର୍ଷା ଜାରି ରହିଥିବା ବେଳେ ଭୁଷୁଡ଼ି ପଡ଼ିଥିବା ଘରଗୁଡ଼ିକରେ ରହିବା ପରିବାରଗୁଡ଼ିକ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି। ତେଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ପଲିଥିନ ଓ ଆବଶ୍ୟକ ରିଲିଫ୍ ସହାୟତା ଯୋଗାଇବା ସହ ଯୋଗ୍ୟ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେବାକୁ ଗଣମାଧ୍ୟମ ଜରିଆରେ ପରିବାରଗୁଡ଼ିକ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି।

Leave a Reply

Your email address will not be published. Required fields are marked *