ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ” କଳାହାଣ୍ଡି ପ୍ରମୋ ରନ” ରେ ଭାଗ ନେଲେ ୨୦୦ରୁ ଉର୍ଦ୍ଧ ଧାବକ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପତ୍ର) : ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ, ସମୃଦ୍ଧ ଐତିହ୍ୟ ଓ ବିବିଧ ସଂସ୍କୃତିର ପ୍ରଚାର ଓ ପ୍ରସାର ସହ ଯୁବବର୍ଗଙ୍କ ମଧ୍ୟରେ ପର୍ଯ୍ୟଟନ ପ୍ରତି ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଭବାନୀପାଟଣା ଠାରେ ୫ କିମି ମାରାଥନ ଦୌଡ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ରୁ ଏହି ପ୍ରମୋ ରନ୍ ଆରମ୍ଭ ହୋଇ ବିନାୟକ ମହାବିଦ୍ୟାଳୟ ଦେଇ ପୁନର୍ବାର ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରେ ଶେଷ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୋ ରନ୍‌ର ଶୁଭାରମ୍ଭ କରିଥିବା ବେଳେ ଏଥିରେ ୨୦୦ ଜଣ ଯୁବା ଧାବକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଜିଲ୍ଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ଐତିହ୍ୟ ଓ ବିବିଧ ସଂସ୍କୃତିକୁ ଆବିଷ୍କାର, ଅନୁଭବ ଓ ସଂରକ୍ଷଣ କରିବା ସହ ପର୍ଯ୍ୟଟନର ପ୍ରଚାର-ପ୍ରସାର, ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସ୍ୱଚ୍ଛତା, ସୁରକ୍ଷା ଓ ପର୍ଯ୍ୟଟକଙ୍କ ପ୍ରତି ଉତ୍ତମ ଆତିଥ୍ୟର ବାର୍ତ୍ତା ପ୍ରସାର କରିବା ଏହି ପ୍ରମୋ ରନ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଆଗାମୀ ୧୩ ଡିସେମ୍ବରରେ ପୁରୀଠାରେ ଆୟୋଜିତ ହେବାକୁ ଥିବା ପୁରୀ କୋଷ୍ଟାଲ ବିଚ୍ ମାରାଥନ୍/ପ୍ରମୋ ରନ୍ କଳାହାଣ୍ଡି ଜିଲ୍ଲାରୁ ଅଧିକରୁ ଅଧିକ ସଂଖ୍ୟକ ଧାବକ ଅଂଶଗ୍ରହଣ କରି ଜିଲ୍ଲାର ସମୃଦ୍ଧ ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଓ ସଂସ୍କୃତିର ପ୍ରଚାର-ପ୍ରସାରରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଥିଲେ। ପୁରୁଷ ବର୍ଗ ରେ ରବି ନାରାୟଣ ନାଏକ ପ୍ରଥମ,ଧର୍ମେନ୍ଦ୍ର ସୁନା ଦ୍ୱିତୀୟ ଏବଂ ଦିନେଶ ଭାଟି ତୃତୀୟ ହୋଇ ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ସେଭଳି ମହିଳା ବର୍ଗରେ ହେମପ୍ରଭା ମାଝୀ ପ୍ରଥମ,ମେହେକ୍ ଦୁର୍ଗା ଦ୍ୱିତୀୟ ଏବଂ ବାଲସିନି ଭୋଇ ତୃତୀୟ ହୋଇ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ସନାତନ ମହାରଣା, ଜିଲ୍ଲା ପର୍ୟ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଜୟଦେବ ସାହୁ, ପୂର୍ବତନ କ୍ରୀଡ଼ା ଅଧିକାରୀ ରମେଶ ପାଢ଼ୀ, ଅଂଶୁମାନ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *